ଏଇ ଭାରତରେ

ସ୍କୁଲରେ ପିଲାମାନେ ଶିକ୍ଷକଙ୍କ ଅନୁଶାସନରେ ଚାଲନ୍ତି, କିନ୍ତୁ ଛତିଶଗଡ଼ର ଏକ ସରକାରୀ ସ୍କୁଲ୍‌ ପିଲାଙ୍କ କ୍ୟାବିନେଟ ନିଷ୍ପତ୍ତିକୁ ଶିକ୍ଷକ ଓ ଗ୍ରାମବାସୀ ମାନୁଛନ୍ତି। ରାୟପୁରଠାରୁ ୩୫୦ କିମି ଦୂର ସୁରଜପୁର ଜିଲା ରୁନିୟାଡିହର ସରକାରୀ ପ୍ରିସେକେଣ୍ଡାରୀ ସ୍କୁଲର ପିଲାମାନଙ୍କ କ୍ୟାବିନେଟ ନିର୍ଦ୍ଦେଶ ପାଳନ କରାଯାଉଛି। ଏହି ସ୍କୁଲ୍‌ରେ ୬୬ ଜଣ ପିଲା ପଢୁଛନ୍ତି। ପିଲାମାନେ କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ସ୍କୁଲକୁ ବସ୍ତାନିମୁକ୍ତ କରିପାରିଛନ୍ତି। ସେମାନଙ୍କ ନିଷ୍ପତ୍ତି ଅନୁସାରେ ଶିକ୍ଷକମାନଙ୍କ ପାଇଁ ଡ୍ରେସ୍‌କୋଡ୍‌ ଲାଗୁ କରାଯାଇଛି। କ୍ୟାବିନେଟରେ ପରିବେଶଠାରୁ ଆରମ୍ଭ କରି ଜଳ ସଂରକ୍ଷଣ ସମ୍ପର୍କିତ ନିଷ୍ପତ୍ତି ନେଉଛନ୍ତି ସେମାନେ। କ୍ୟାବିନେଟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ, ଉପପ୍ରଧାନମନ୍ତ୍ରୀ, ଖେଳମନ୍ତ୍ରୀ, ସ୍ବଚ୍ଛତା ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ମଧ୍ୟ ନିଯୁକ୍ତ ହୋଇଛନ୍ତି। ପିଲାମାନଙ୍କ କ୍ୟାବିନେଟ ବୈଠକରେ ଶିକ୍ଷକ, ରୁନିୟାଡିହ ପଞ୍ଚାୟତର ସରପଞ୍ଚ ଓ ଓ୍ବାର୍ଡସଭ୍ୟମାନେ ଉପସ୍ଥିତ ଥାଆନ୍ତି। ସରକାରୀ ଯୋଜନାର ଅଡିଟ ମଧ୍ୟ ଏହି କ୍ୟାବିନେଟରେ କରାଯାଉଛି। ହିନ୍ଦୀ, ଗଣିତ, ବିଜ୍ଞାନ ଓ ଇଂଲିଶ ଲାଗି ସ୍ବତନ୍ତ୍ର ଷ୍ଟଡି କର୍ନର ଖୋଲିଛନ୍ତି। ଏହାବାଦ କାନ୍ଥରେ ସରକାରୀ ଯୋଜନା, ପାଠ୍ୟକ୍ରମ ସମ୍ପର୍କରେ ସଚେତନତା ପାଇଁ ପ୍ରଦର୍ଶିତ କରାଯାଇଛି।