ଏଇ ଭାରତରେ

ଉତ୍ତରପ୍ରଦେଶର ଜଣେ ଯୁବକ ତାଙ୍କ ପ୍ରଚେଷ୍ଟାରେ ପିଲାମାନଙ୍କ ଲାଗି ସଫଳତାର ସୌଧ ଗଢୁଛନ୍ତି। ନୋଏଡାନିବାସୀ ପ୍ରଦ୍ୟୁତ ବୋଲେଟି ଏଭଳି ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ସେ ମଧ୍ୟ କୌନ ବନେଗା କରୋଡପତିରେ ୧୭ ଲକ୍ଷ ଟଙ୍କା ଜିତିଛନ୍ତି। କିନ୍ତୁ ଏହି ଟଙ୍କାକୁ ଗାଁ ପିଲାମାନେ କିପରି ବାସ୍କେଟ୍‌ବଲ ଚାମ୍ପିୟନ ହେବେ ସେଥିଲାଗି ବ୍ୟୟ କରୁଛନ୍ତି। ପ୍ରଦ୍ୟୁତ ୨୦୧୪ରେ ଆମେରିକାରେ ବାସ୍କେଟ୍‌ବଲ ପ୍ରଶିକ୍ଷଣ ନେଇ ସ୍ବଦେଶ ଫେରି ନୋଏଡା ପାଖ ଗାଁ ଗେଜାରେ ପ୍ରଥମେ ପିଲାମାନଙ୍କୁ ବାସ୍କେଟବଲ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ଏହି ଗାଁରେ ପ୍ରାୟ ୬୫୦ ପିଲାଙ୍କ ପାଖରେ ଏହି ଖେଳକୁ ପହଞ୍ଚାଇବା ଲାଗି ପ୍ରାରମ୍ଭରୁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ପରେ ସମସ୍ତଙ୍କୁ ଏକାଠି କରି ଖେଳ ପ୍ରଶିକ୍ଷଣ ଦେବା ଆରମ୍ଭ କରି ଏବେ ଆଖପାଖ ଗାଁର ପ୍ରାୟ ଦେଢ଼ ହଜାର ପିଲାଙ୍କୁ ଏଥିରେ ସାମିଲ କରିଛନ୍ତି। ସେ ୫ ବର୍ଷ ହେବ ଡ୍ରିବଲ୍‌ ଏକାଡେମୀ ପ୍ରତିଷ୍ଠା କରି କୋଚ୍‌ମାନଙ୍କୁ ନିଯୁକ୍ତି ଦେଇଛନ୍ତି ଓ ସେମାନେ ପ୍ରତି ଗାଁରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ତାଙ୍କ ଏକାଡେମୀରୁ ବହୁ ପିଲା ଆମେରିକାରେ ଖେଳି ଫେରିଲେଣି। ୧୪ ବର୍ଷରୁ କମ୍‌ ରାଜ୍ୟ ଟିମ୍‌ରେ ତାଙ୍କ ଏକାଡେମୀର ପିଲାମାନେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି। କେତେଜଣ ଜାତୀୟ ଟିମ୍‌କୁ କ୍ୱାଲିଫାଏ ବି କରିଛନ୍ତି। ଏହି ପିଲାମାନଙ୍କୁ ନେଇ ବିଭିନ୍ନ ଟୁର୍ନାମେଣ୍ଟରେ ସେ ଭାଗ ନେଉଛନ୍ତି ଓ ଯେଉଁ ଅର୍ଥ ରାଶି ଜିତୁଛନ୍ତି ତାହାକୁ ପିଲାମାନଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି। ପିଲାମାନଙ୍କୁ ବାସ୍କେଟବଲ୍‌, ଜୋତା ଓ ପୋଷାକ ମଧ୍ୟ ଯୋଗାଇ ଦେଉଛନ୍ତି ପ୍ରଦ୍ୟୁତ।