ଏଇ ଭାରତରେ

ମସ୍‌ଜିଦରୁ ଶୁଭିବ ବୈଦିକ ମନ୍ତ୍ର, ହୋମ ବି ହେବ । ବରକନ୍ୟା ଅଗ୍ନିକୁ ସାକ୍ଷୀ ରଖି ୭ ଥର ପ୍ରଦକ୍ଷିଣ କରିବେ। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେରଳର ଏକ ମସ୍‌ଜିଦ୍‌ରେ ହିନ୍ଦୁ ରୀତିନୀତିରେ ଜଣେ ହିନ୍ଦୁ ଝିଅର ବାହାଘର କରିବାର ସବୁ ବ୍ୟବସ୍ଥା କରି ସମାଜକୁ ଭାଇଚାରାର ସନ୍ଦେଶ ଦେଇଛନ୍ତି ମସ୍‌ଜିଦ କମିଟିର ସଦସ୍ୟମାନେ। ଆଲାପ୍ପୁଝା ଜିଲା ଚେର୍‌ଓ୍ବଲି ମୁସ୍‌ଲିମ ସମାଜ ମସ୍‌ଜିଦ ପାଖରେ ରୁହନ୍ତି ଅଶୋକଙ୍କ ପରିବାର। ୨୦୧୮ରେ ଅଶୋକଙ୍କର ଦେହାନ୍ତ ପରେ ଏବେ ତାଙ୍କର ଏକମାତ୍ର କନ୍ୟା ଅଞ୍ଜୁ ମା’ ବିନ୍ଦୁଙ୍କ ସହ ରହୁଛନ୍ତି। ଅଞ୍ଜୁଙ୍କ ବାହାଘର ସ୍ଥିର ହେବା ପରେ ଅର୍ଥାଭାବ ଯୋଗୁ ଚିନ୍ତିତ ରହିଥିଲେ ବିନ୍ଦୁ। ବାହାଘର ପାଇଁ ମସ୍‌ଜିଦ କମିଟିକୁ ସାହାଯ୍ୟ ଲାଗି ବିନ୍ଦୁ ଅନୁରୋଧ କରିବାପରେ ଚେର୍‌ଓ୍ବଲି ମୁସଲିମ୍‌ ସମାଜ କମିଟି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ମସ୍‌ଜିଦ କମିଟି ଅଞ୍ଜୁଙ୍କ ବାହାଘର ଲାଗି ୨ ଲକ୍ଷ ଟଙ୍କା ଓ ୧୦ଟି ସୁନା ମୁଦ୍ରା ଉପହାର ଦେବାକୁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି କମିଟିର ସମ୍ପାଦକ ନୁଜୁମୁଦ୍ଦିନ ଅଲୁମ୍ମୋତ୍ତିଲ। ଅଞ୍ଜୁଙ୍କୁ ପଢିବା ପାଇଁ ନୁଜୁମୁଦ୍ଦିନ ବି ସାହାଯ୍ୟ କରିଥିଲେ। ଏହି ବାହାଘରରେ ୧ ହଜାର ଲୋକଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯିବ। ଅଞ୍ଜୁଙ୍କ ବାହାଘର ୧୯ ଜାନୁୟାରୀରେ ଶୁଭ ମୁହୂର୍ତ୍ତରେ ସମ୍ପନ୍ନ ହେବ ବୋଲି ମସ୍‌ଜିଦ କମିଟି ସ୍ଥିର କରିଛି। ଏଥିଲାଗି ବାହାଘର ନିମନ୍ତ୍ରଣପତ୍ର ଛପାସରିଛି ଓ ସୋସିିଆଲ ମିଡିଆରେ ଏହାକୁ ପୋଷ୍ଟ୍‌ କରାଯିବା ପରେ ତାହା ଭାଇରାଲ ହେବାରେ ଲାଗିଛି। ଜମାତ କମିଟି ସମସ୍ତଙ୍କୁ ବାହାଘରକୁ ନିମନ୍ତ୍ରଣ କରିଛି।