ଏଇ ଭାରତରେ

ଝିଅଙ୍କୁ ବୋଝ ମନେକରି ଗର୍ଭାବସ୍ଥାରୁ ସେମାନଙ୍କୁ ମାରିଦେଉଥିତ୍ବା ବ୍ୟକ୍ତିଙ୍କ ସଂଖ୍ୟା ଆମ ଦେଶରେ କମ୍‌ ନାହିଁ। କିନ୍ତୁ ଗୁଜରାଟର ଜଣେ ଦିବ୍ୟାଙ୍ଗ ଝିଅ ଅଙ୍କିତା ଅଟୋରିକ୍ସା ଚଲାଇ ତାଙ୍କ ପିତାଙ୍କ ଚିକିତ୍ସା କରିବା ନିଶ୍ଚିତଭାବେ ଏମାନଙ୍କ ଲାଗି ଏକ ଶିକ୍ଷା ଓ ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣାଦାୟକ। ଗୁଜରାଟର ସୁରଟନିବାସୀ ଅଙ୍କିତା ଶାହା ଜନ୍ମରୁ ଦିବ୍ୟାଙ୍ଗ। ତାଙ୍କର ଗୋଟିଏ ଗୋଡ ନାହିଁ। ତଥାପି କ୍ୟାନ୍‌ସରପୀଡିତ ତାଙ୍କ ପିତାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ଲକ୍ଷ୍ୟ ନେଇ ସେ ଦିନରାତି ରିକ୍ସା ଚଲାଉଛନ୍ତି। ଅଙ୍କିତା ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ପ୍ରଥମେ ସେ ଚାକିରି କରିଥିଲେ। ବେତନ କମ୍‌ ମିଳୁଥିଲା। ଦିବ୍ୟାଙ୍ଗ ହୋଇଥିବାରୁ ଭେଦଭାବର ଶିକାର ବିି ହେଉଥିଲେ। ସେହି ଚାକିରିଟି ଚାଲିଗଲା ପରେ ଆଉ ତାଙ୍କୁ ଚାକିରି ମିଳି ନ ଥିଲା। ପରେ ସେ ନିଜେ କିଛି କରିବା ଲାଗି ଚାହିଁ ଏଭଳି ସାହସିକ ନିଷ୍ପତ୍ତି ନେଇ ୬ ମାସ ହେବ ରିକ୍ସା ଚଲାଉଛନ୍ତି। ଦିବ୍ୟାଙ୍ଗ ହେଲେ ମଧ୍ୟ କୌଣସି କ୍ଷେତ୍ରରେ ହାରିଯିବା ଉଚିତ ନୁହେଁ। ଗୋଟିଏ ପାଦ ସାହସର ସହ ଆଗକୁ ବଢାଇଲେ ଆମେ ଦଶପାଦ ଆଗକୁ ଚାଲିଯିବା ଓ ଏବେ ସେ ସବୁ ଚ୍ୟାଲେଞ୍ଚକୁ ସାମ୍‌ନା କରିବାକୁ ପ୍ରସ୍ତୁତ ବୋଲି କୁହନ୍ତି ଅଙ୍କିତା।