ଏଇ ଭାରତରେ

ଏପରି ସମୟ ଆସେ ଯେତେବେଳେ କୌଣସି ଘଟଣା ପାଇଁ ଜଣେ ବ୍ୟକ୍ତି ଚର୍ଚ୍ଚାର ପରିସରକୁ ଆସନ୍ତି। ଯାହା ସେ ନିଜେ ମଧ୍ୟ ପୂର୍ବରୁ କଳ୍ପନା କରି ନ ଥାନ୍ତି। ବର୍ତ୍ତମାନ ଦେଶବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିଥିବା ଏପରି ଜଣେ ମହିଳା ହେଉଛନ୍ତି ରିନା ଦ୍ୱିବେଦୀ। ଚଳିତବର୍ଷ ଲୋକ ସଭା ନିର୍ବାଚନ ଅବସରରେ ଷଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ଉତ୍ତରପ୍ରଦେଶ ଲକ୍ଷ୍ନୌର ଏହି ମହିଳା ପୋଲିଂ ଅଧିକାରୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ଖୁବ୍‌ ଚର୍ଚ୍ଚିତ ହୋଇପଡିଛନ୍ତି। ସେ ହଳଦିଆ ଶାଢ଼ି ପରିଧାନ କରି ନିର୍ବାଚନ ଅଧିକାରୀ ଭାବେ ଯେତେବେଳେ ଇଭିଏମ୍‌ ଧରି ପୋଲିଂ ବୁଥ୍‌କୁ ଯାଉଥିଲେ ସେତେବେଳେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତାଙ୍କ ଷ୍ଟାଇଲକୁ ନେଇ ସେ ଏବେ ବେଶ୍‌ ଚର୍ଚ୍ଚାରେ। ନିକଟରେ ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି, ସେ ବିବାଦୀୟ ରିୟଲିଟି ଶୋ’ ‘ବିଗ୍‌ବସ୍‌’ରେ ଅଂଶ ଗ୍ରହଣ କରିବାକୁ ଚାହାନ୍ତି। ଏଥିପାଇଁ ତାଙ୍କ ପରିବାର ପକ୍ଷରୁ ତାଙ୍କୁ ଅନୁମତି ମିଳିଯିବ ବୋଲି ସମ୍ପୂର୍ଣ୍ଣ ଆଶାବାଦୀ ଅଛନ୍ତି। ତାଙ୍କୁ ଏହି ସୁଯୋଗ ମିଳିଲେ, ସେ ଖୁସି ହେବେ ବୋଲି ପ୍ରକାଶ କରିଛନ୍ତି।