ଏଇ ଭାରତରେ

କିଛି ନିଆରା କରିବାର ଆଗ୍ରହ ଆଗକୁ ବାଟ କଢାଇନିଏ, ଯାହା ଘଟିଛି କେରଳର ଯସ୍ମିନ୍‌ ଅରିମ୍ବ୍ରାଙ୍କ ଜୀବନରେ। ଅରିମ୍ବ୍ରା ରହନ୍ତି ମାଲାପ୍ପୁରମ୍‌ ଜିଲା ଥେନ୍ନଲା ପଞ୍ଚାୟତରେ। ତାଙ୍କୁ ଏବେ ବୟସ ୩୫ ବର୍ଷ। ୯ମ ପରେ ପାଠ ଛାଡି ପିତାଙ୍କ ସହ କ୍ଷେତରେ କାମ କରୁଥିଲେ। ପରେ ନିଜ ଭାଗ୍ୟ ନିଜେ ଗଢିଛନ୍ତି। ଆଣିଛନ୍ତି ଧାନ ଚାଷରେ କ୍ରାନ୍ତି। କେବଳ ଏତିକି ନୁହେଁ ଜିଲାର ୫୦୦ ମହିଳାଙ୍କୁ ଶେୟାରହୋଲ୍‌ଡର ଭାବେ ତାଙ୍କ କମ୍ପାନୀ ସହ ସାମିଲ କରିଛନ୍ତି। ମହିଳାଙ୍କ ବିକାଶ ଲାଗି ସଚେତନତା ସୃଷ୍ଟି କରିବା ସହ ପ୍ରଶିକ୍ଷଣ ଓ ଆର୍ଥିକ ସହଯୋଗ ଦେଉଥିବା କୁଡୁମ୍ବଶ୍ରୀ ମିଶନ୍‌ରେ ୨୦୧୦ରେ ଯସ୍ମିନ୍‌ ଯୋଗଦେଇଥିଲେ। ଦୁଇ ବର୍ଷ ପରେ ସେ ଅଧିକ ମହିଳାଙ୍କୁ ଏକାଠି କରିବାରେ ସକ୍ଷମ ହୋଇ ପଞ୍ଚାୟତ ସ୍ତରରେ କୁଡୁମ୍ବଶ୍ରୀର ସଭାପତି ହୋଇଥିଲେ। ପଞ୍ଚାୟତର ସମସ୍ତ ସଭ୍ୟଙ୍କୁ ୧୨୬ଟି ଗ୍ରୁପ୍‌ରେ ଭାଗ କରି ପ୍ରତି ଗ୍ରୁପ୍‌ରେ ୪ଜଣ ମହିଳା ରଖିଥିଲେ। ପଞ୍ଚାୟତର ପଡିଆ ଜମିକୁ ଚାଷ ପାଇଁ ଲୋକଙ୍କଠାରୁ ଲିଜ୍‌ରେ ଆଣିବାପରେ ପ୍ରତି ଗ୍ରୁପକୁ ୧ରୁ ୩ ଏକର ଜମି ଲିଜ୍‌ରେ ପ୍ରଦାନ କରିଥିଲେ। ପ୍ରଥମରୁ ସେ ୧୨୬ ଏକର ଜମ ଲିଜ୍‌ ନେଇଥିଲେ ଓ ଏବେ ତାହା ୫୨୨ ଏକରରେ ପହଞ୍ଚିଛି। ୨୦୧୩ରେ ସେ ଲିଟେରାସି ମିଶନ୍‌ ମାଧ୍ୟମରେ ମାଟ୍ରିକ ପାସ୍‌ କରି ଏବେ ସମାଜ ବିଜ୍ଞାନରେ ଡିଗ୍ରୀ କରୁଛନ୍ତି। ୨୦୧୫ରେ ଯସ୍ମିନ୍‌ ‘ଥେନ୍ନଲ ଆଗ୍ରୋ ଫାର୍ମସର୍ର୍ ପ୍ରଡ୍ୟୁଶର କମ୍ପାନୀ ଲିମିଟେଡ୍‌’ ଗଠନ କରି ଏହାର ମୁଖ୍ୟ ରହିବା ସହ ନିଜେ ୫ ଏକର ଚାଷ କରୁଛନ୍ତି।