ଏଇ ଭାରତରେ

ଅନ୍ଧବିଶ୍ୱାସ ବଳୟରେ ଥିବା ରାଜସ୍ଥାନର ଦୁଇଟି ଗାଁର କାହାଣୀ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବିପଦର ଭୟ ଯୋଗୁ ଗ୍ରାମବାସୀ ପକ୍କାଘର କରନ୍ତିନି କି ବାହାଘରରେ କନ୍ୟାଙ୍କୁ ଘୋଡାପିଠିରେ ବସାନ୍ତି ନାହିଁ। ଏହି ଦୁଇଟି ଗାଁ ମଧ୍ୟରୁ ଗୋଟିଏ ହେଉଛି ଆଜମେର ଜିଲାର ଦେବମାଳି ଓ ଅନ୍ୟଟି ହେଉଛି ଡୁଙ୍ଗରପୁର ଜିଲାର ଖରିୟା ଗାଁ। ଦୁଇଟି ଗାଁର ଲୋକମାନେ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ଥିଲେ ମଧ୍ୟ କେହି ପକ୍କାଘର କରନ୍ତି ନାହିଁ। ଦେବମାଳି ଓ ଖରିୟା ଗାଁରେ ରହିଛି କିଛି ସମାନତା। ଦେବମାଳିର ଲୋକେ ପକ୍କାଘର ନ କରିବା ପଛରେ ଏକ ରୋଚକ କାହାଣୀ ରହିଛି। ପକ୍କାଘର କଲେ ଗାଁକୁ ବିପଦ ଆସିବ ବୋଲି ସେମାନଙ୍କ ଭୟ ରହିଛି, ଯେଉଁଥିପାଇଁ ସମସ୍ତେ ମାଟିଘରେ ରହୁଛନ୍ତି। ମାଟି ଚୁଲିରେ ବି ରୋଷେଇ କରୁଛନ୍ତି। ବାହାଘରରେ କନ୍ୟାଙ୍କୁ ସେମାନେ ଘୋଡା ଉପରେ ବସାନ୍ତି ନାହିଁ। ଏହା କଲେ ବାହାଘର ପରେ କନ୍ୟା ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି ବୋଲି ଗ୍ରାମବାସୀ ବିଶ୍ୱାସ କରନ୍ତି। ଦେବମାଳି ଗାଁର ଲୋକମାନେ ନିଜକୁ ଜଣେ ପୂର୍ବଜଙ୍କ ବଂଶଧର ବୋଲି କୁହନ୍ତି ଯିଏ କି ଏହି ଗାଁକୁ ସ୍ଥାପନ କରିଥିଲେ। ଯେବେ ବି ଏହି ଗାଁରେ କେହି ପକ୍କାଘର କରିଛନ୍ତି ତାହା ଭାଙ୍ଗିଯାଇଛି। ଏଣୁ ଭୟରେ ଲୋକମାନେ ପକ୍କାଘର କରୁନାହାନ୍ତି। ଏହି ଗାଁର ଅଧିକାଂଶ ଲୋକ ଶାକାହାରୀ। ୯୦ ପ୍ରତିଶତ ଆଦିବାସୀ ରହୁଥିବା ଖରିୟା ଗାଁରେ ବି ସମାନ ବିଶ୍ୱାସ ରହିଛି। ଲୋକମାନେ କିଛିବର୍ଷ ତଳେ ପଥରରେ ଘର କରିଥିଲେ, ଯାହା ଭାଙ୍ଗି ଯାଇଥିଲା। ଏହି ଦୁଇ ଗାଁରେ ପକ୍କା ଘର କରିବା ପାଇଁ କେତେକ ସାମାଜିକ ସଂଗଠନ ଗ୍ରାମବାସୀଙ୍କୁ ବୁଝାଇଲେ ମଧ୍ୟ ସେମାନେ କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି।