ଏଇ ଭାରତରେ

ରାମାୟଣ ଓ ଗୀତା ଉପରେ ପ୍ରବଚନ ଦେଇ ଧାର୍ମିକ ସମନ୍ବୟ ଓ ସଦ୍‌ଭାବନାର ବାର୍ତ୍ତା ଦେଉଛନ୍ତି ଜଣେ ମୁସଲମାନ। ତାଙ୍କ ନାମ ଫାରୁଖ ଖାନ୍‌। ମଧ୍ୟପ୍ରଦେଶର ନରସିଂହଗଡ଼ ଜିଲାର ଏକ ଛୋଟ ଗାଁ ଗୁନିୟାରିରେ ଫାରୁଖଙ୍କ ଜନ୍ମ। କେବଳ ଜିଲା ନୁହେଁ ସାରା ଦେଶରେ ଫାରୁଖ ୩୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଲୋକମାନଙ୍କୁ ରାମକଥା ଶ୍ରବଣ କରାଇ ସାରିଲେଣି। ଦୀର୍ଘ ୩୫ ବର୍ଷ ହେବ ସେ ଏହା କରୁଛନ୍ତିି । ସେଥିପାଇଁ ସେ ଏବେ ଫାରୁଖ ଖାନ୍‌ରୁ ପାଲଟି ଯାଇଛନ୍ତି ଫାରୁଖ ରାମାୟଣୀ। ବେଦ, ଗୀତା ସମେତ ସବୁ ଗ୍ରନ୍ଥ ଉପରେ ସେ ଅନର୍ଗଳ ପ୍ରବଚନ ଦେଇପାରୁଛନ୍ତିି। ଏହା ଭିତରେ ବି ସେ ଦିନକୁ ୫ ଥର ନମାଜ ପଢୁଛନ୍ତି। ଅନେକ ସ୍ଥାନରେ ତାଙ୍କୁ ଏଥିଲାଗି ବିରୋଧର ସମ୍ମୁଖୀନ ହେବାକୁ ପଡିଛି। କିନ୍ତୁ ସେ ଧର୍ମ ଓ ସମ୍ପ୍ରଦାୟର ଊର୍ଦ୍ଧ୍ୱକୁ ଉଠି ଲୋକମାନଙ୍କୁ ଧର୍ମର ଅସଲି ପାଠ ପଢାଇ ଚାଲିଛନ୍ତି। ଏମିତିକି ଆଜି ସୁଦ୍ଧା ତାଙ୍କର ୩୦ରୁ ଅଧିକ ହିନ୍ଦୁ ଶିଷ୍ୟ ରହିଛନ୍ତି। ମାତ୍ର ୬ ବର୍ଷ ବୟସରୁ ଫାରୁଖ ରାମାୟଣ ଓ ଗୀତା ଉପରେ ଜାଣିବା ଲଗି ଆଗ୍ରହ ପ୍ରକାଶ କରିଥିଲେ। ଯେଉଁଠି ରାମାୟଣ ପ୍ରବଚନ ହେଉଥିଲା ସେଠାରେ ଯାଇ ସେ ପହଞ୍ଚିଯାଉଥିଲେ। ୨୪ ବର୍ଷ ବେଳକୁ ସେ ରାମାୟଣ ଉପରେ ପୂରା ପାଣ୍ଡିତ୍ୟ ଅର୍ଜନ କରିସାରିଥିଲେ। ପ୍ରଥମେ ସେ ୧୯୮୪ରେ ରାୟଗଡ଼ ଜିଲାର ପଞ୍ଚୋରରେ ଏକ ସାର୍ବଜନୀନ ମଞ୍ଚରେ ପ୍ରବଚନ ଦେବା ଆରମ୍ଭ କରିଥିଲେ। ତାଙ୍କ ଗୁରୁ ପଣ୍ଡିତ ଲକ୍ଷ୍ମୀନାରାୟଣ ଶର୍ମା ୧୯୯୪ରେ ତାଙ୍କୁ ‘ରାମାୟଣୀ’ ଉପାଧି ପ୍ରଦାନ କରିଥିଲେ। ଏବେ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରୁ ରାମକଥା ଶୁଣିବା ଲାଗି ଫାରୁଖଙ୍କୁ ଆମନ୍ତ୍ରଣ କରାଯାଉଛି। ସେ ଯେଉଁ ସ୍ଥନରେ ପ୍ରବଚନ ଦେଉଛନ୍ତି ସେଠାରେ ହଜାର ହଜାର ଲୋକ ତାଙ୍କ ପ୍ରବଚନ ଶୁଣିବା ଲାଗି ଭିଡ଼ ଜମାଉଛନ୍ତି।