ଏଇ ଭାରତରେ

ଗୁଜରାଟର ହିମ୍ମତନଗର ଅଞ୍ଚଳର ଯୁବକ ଅଜୟଙ୍କ ବିବାହ ଉତ୍ସବକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ୨୭ ବର୍ଷୀୟ ଯୁବକ ବର ବେଶରେ ସଜେଇ ହୋଇଛନ୍ତି। ଶୋଭାଯାତ୍ରା ହୋଇଛି। ହେଲେ ବାହା ହେବାକୁ କନ୍ୟା ନାହାନ୍ତି। ବିବାହ ପାଇଁ ସବୁ କାର୍ଯ୍ୟ କରାଯାଇଛି। ବିନା କନ୍ୟାରେ ପୁଅର ବିବାହ ଇଚ୍ଛାକୁ ପୂରଣ କରିଛନ୍ତି ବାପା। ଅଜୟଙ୍କ ପିତା ବିଷ୍ଣୁ ବାରୋତ କହନ୍ତି ପିଲାଦିନୁ ମା’ଙ୍କୁ ହରାଇଥିବା ଅଜୟଙ୍କର କୌଣସି ଶିକ୍ଷାଗତ ଯୋଗ୍ୟତା ନାହିଁ। ହେଲେ ସେ ଯେତେବେଳେ ଅନ୍ୟମାନଙ୍କ ବିବାହରେ ଯୋଗ ଦିଅନ୍ତି ସେତେବେଳେ ସେ ନିଜ ବିବାହ ବିଷୟରେ ବାପାଙ୍କୁ ପ୍ରଶ୍ନ କରନ୍ତି। ଆଉ କୁହନ୍ତି ମୋର ବାହାଘର ଧୁମ୍‌ଧାମ୍‌ରେ ହେବ। ପୁଅର ଏହି ଇଚ୍ଛାକୁ ପୂରଣ କରିବାକୁ ଯାଇ ପିତା କନ୍ୟାଟିଏ ଖୋଜିଥିଲେ ମଧ୍ୟ ଶେଷରେ ନିରାଶ ହୋଇଥିଲେ। ହେଲେ ପୁଅର ଇଚ୍ଛା ପୂରଣ କରିବାକୁ ଯାଇ ପରିବାର ଓ ବନ୍ଧୁଙ୍କ ପରାମର୍ଶ କ୍ରମେ ସେ ଅଜୟଙ୍କର ବିବାହ ବିନା କନ୍ୟାରେ କରିବାକୁ ସ୍ଥିର କଲେ। ଏଥିପାଇଁ ସମସ୍ତ କାର୍ଯ୍ୟକ୍ରମର ଆୟୋଜନ କରାଗଲା। ପାଖାପଖି ୨ଶହ ବରଯାତ୍ରୀଙ୍କ ସମେତ ୮ଶହ ଅତିଥିଙ୍କୁ ବିଭିନ୍ନ ସ୍ବାଦିଷ୍ଠ ବ୍ୟଞ୍ଜନରେ ଆପ୍ୟାୟିତ କଲେ ଅଜୟଙ୍କ ପିତା। ଆଉ ପୁଅର ଇଚ୍ଛା ପୂରଣ କରିଥିବାରୁ ସେ ବେଶ୍‌ ଖୁସି ଥିବା ମଧ୍ୟ ପ୍ରକାଶ କରିଛନ୍ତି।