ଏଇ ଭାରତରେ

ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଅଭ୍ୟାସ ରହିଥାଏ। କେତେକ ଲୋକଙ୍କର ନିର୍ବାଚନ ଲଢ଼ିବା ମଧ୍ୟ ଏକ ରୁଚି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଡାକ୍ତର ପଦ୍ମରାଜନ୍‌। ସେ ପଞ୍ଚାୟତଠାରୁ ଆରମ୍ଭ କରି ଲୋକ ସଭା ପର୍ଯ୍ୟନ୍ତ ଇତିମଧ୍ୟରେ ୨୦୦ ଥର ନିର୍ବାଚନରେ ପ୍ରତିଦ୍ୱିନ୍ଦ୍ୱିତା କରି ମଧ୍ୟ ହାରିଯାଇଛନ୍ତି। ତଥାପି ପ୍ରତିଦ୍ୱନ୍ଦ୍ୱିତା କରିବାର ନିଶା ଛାଡ଼ିନାହାନ୍ତି। ଦେଶର ପ୍ରମୁଖ ରାଜନେତାଙ୍କ ବିରୋଧରେ ସେ ନିର୍ବାଚନ ଲଢ଼ିଛନ୍ତି। ଚଳିତ ଲୋକ ସଭା ନିର୍ବାଚନରେ ସେ ୨୦୧ ଥର ପାଇଁ ଲଢୁଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ସେ ଓ୍ବାୟନାଡ୍‌ରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପଦ୍ମରାଜନ୍‌ ତାମିଲନାଡୁ ସାଲେମ୍‌ର ଏକ ସହରରେ ହୋମିଓପ୍ୟାଥିକ୍‌ ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି। ୧୯୮୮ ମସିହାରୁ ସେ ନିର୍ବାଚନ ଲଢ଼ିବା ଆରମ୍ଭ କରିଛନ୍ତି। ନିର୍ବାଚନ ଲଢ଼ିବାରେ ସେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ନିର୍ବାଚନ ଲଢ଼ିବା ପାଇଁ ପଦ୍ମରାଜନ୍‌ଙ୍କ ସଉକ ସ୍ଥାନୀୟ ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ହୋଇଛି।