ଏଇ ଭାରତରେ

ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶ୍ରାଦ୍ଧ ଦିଆଯିବାର ପରମ୍ପରା ରହିଥିବାବେଳେ ଗୁଜରାଟର ଏକ ଗାଁରେ ମୃତ୍ୟୁ ପୂର୍ବରୁ ତିନି ଜଣ ବୃଦ୍ଧଙ୍କୁ ଶ୍ରାଦ୍ଧ ଦେବା ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଘଟଣା ଘଟିଛି ମୋରବି ଜିଲା ଗୋରଖିଜଡିଆ ଗାଁରେ। ବୃଦ୍ଧମାନଙ୍କ ଶେଷଇଚ୍ଛା ପୂରଣ କରିବା ପାଇଁ ସନ୍ତାନମାନେ ଏମିତିି ଏକ ଅଜବ ପରମ୍ପରା ଆପଣାଇଛନ୍ତି। ଗୋଟିଏ ପରିବାରର ତିନିଜଣ ବୃଦ୍ଧଙ୍କ ମଧ୍ୟରୁ ଗଙ୍ଗାରାମ ଭାଇ ମନଜୀ ଭାଇଗୋରିଆଙ୍କ ବୟସ ୧୦୦ ବର୍ଷ। ସେ ଏବେ ବି ସୁସ୍ଥ ଅଛନ୍ତି। ତାଙ୍କ ପରେ ଜୀବରାଜ ଭାଇ ମନଜୀ ଭାଇ ଗୋରିଆଙ୍କୁ ୯୮ ବର୍ଷ ହୋଇଥିବା ବେଳେ ବଜିବେନ ଜୀବରାଜ ଭାଇ ଗୋରିଆଙ୍କ ବୟସ ୯୭। ଧୁମ୍‌ଧାମରେ ଏମାନଙ୍କ ଶ୍ରାଦ୍ଧ କ୍ରିୟା ସମାପନ କରାଯିବା ପରେ ମୃତ୍ୟୁ ଭୋଜ ମଧ୍ୟ ଦିଆଯାଇଛି। ଏହାପରେ ତିନି ବୃଦ୍ଧଙ୍କୁ ଫୁଲମାଳ ପିିନ୍ଧାଇ ବାଜାବଜାଇ ଶେଭାଯାତ୍ରାରେ ନିଆଯାଇଥିଲା। ଶୋଭାଯାତ୍ରାରେ ଗାଁ ଲୋକେ ବି ଭାଗ ନେଇଥିତ୍ଲେ। ଶୋଭାଯାତ୍ରାରେ ପରିବାରର ପୁଅ, ବୋହୂ, ଝିଅ, ଭଉଣୀ ସମସ୍ତେ ବାଦ୍ୟର ତାଳେ ତାଳେ ଗର୍‌ବା ନୃତ୍ୟ ପ୍ରଦର୍ଶନ କରିଥିଲେ। ସନ୍ଧ୍ୟାବେଳେ ଭଜନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ସବୁଠୁ ବୟସ୍କ ବୃଦ୍ଧ ଗଙ୍ଗାରାମ ଏଠାକାର ପୂର୍ବତନ ବିଧାୟକ ଗୋକଲଦାସ ପରମାରଙ୍କ ସହ ବହୁ ଜନକଲ୍ୟାଣ କାର୍ଯ୍ୟ କରିଥିବାରୁ ସେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।