ଏଇ ଭାରତରେ

ପାଷାଣ ଦିଅଁ ହେଲେ ବି ହିନ୍ଦୁ ଧର୍ମରେ ସେ ଜୀବିତ। ସେ ମଣିଷ ଭଳି ନିତ୍ୟକର୍ମ ସହ ସ୍ନାନ କରନ୍ତି , ଭୋଜନ କରନ୍ତି । ତାଙ୍କ ପାଇଁ ଶୟନର ବିଧି ବି ଖଞ୍ଜାଯାଇଛି। କେଉଁଠି ତାଙ୍କୁ ଜ୍ୱର ହେଲେ ଉପଚାର କରାଯାଏ ତ କେଉଁଠି ତାଙ୍କ ପାଇଁ ରହିଛି ବିଭିନ୍ନ ଖେଳର ବ୍ୟବସ୍ଥା। ତେବେ ପ୍ରଦୂଷଣ ବଳୟରେ ଲୋକେ ଅଣନିଃଶ୍ୱାସୀ ହୋଇପଡୁଥିବାବେଳେ ତାଙ୍କ ପାଇଁ ଏହା କଷ୍ଟଦାୟକ ନ ହେବ କାହିଁକି? ଏମିତି କଷ୍ଟ ଅନୁଭବ କରୁଛନ୍ତି ବାରାଣସୀର ଏକ ମନ୍ଦିରରେ ପୂଜା ପାଉଥିତ୍ବା ଦେବଦେବୀଗଣ। ବାୟୁ ପ୍ରଦୂଷଣ କାରଣରୁ ସାରା ସହରକୁ କୁହୁଡି ଘୋଡାଇ ରଖିଛି। ଏହି କାରଣରୁ ଲୋକମାନେ ଶ୍ୱାସକ୍ରିୟାରେ ଯାହା କଷ୍ଟ ଅନୁଭବ ନ କରୁଛନ୍ତି , ତା’ଠାରୁ ବେଶି ଅସୁବିଧାରେ ପଡିଛନ୍ତି ଧର୍ମନଗରୀର ଦେବତାମାନେ। ଏଥିପାଇଁ ଭଗବାନଙ୍କୁ ପ୍ରଦୂଷିତ ବାୟୁରୁ ରକ୍ଷା ପାଇଁ ମାସ୍କ ପିନ୍ଧାଇ ଦିଆଯାଇଛି। ବାରାଣସୀର ସିଗରାସ୍ଥିତ ମନ୍ଦିରରେ ମହାଦେବଙ୍କ ସହ ସମସ୍ତ ଦେବଦେବୀ ମାସ୍କ ପିନ୍ଧିଛନ୍ତିି। ମନ୍ଦିରର ପୂଜାରୀ ହରିଶ ମିତ୍ରଙ୍କ ନେତୃତ୍ୱରେ ଏହା କରାଯାଇଛି। କେବଳ ସିଗରାରେ ଥିବା ମନ୍ଦିର ନୁହେଁ, ବାରାଣସୀର ଆଉ କେତେକ ମନ୍ଦିରରେ ବି ଦେବଦେବୀଙ୍କୁ ମାସ୍କ ପିନ୍ଧାଯାଇଛି। ବାରାଣସୀରେ ଏବେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ପାଖାପାଖି ରହିଥିବାରୁ ପ୍ରଦୂଷଣ ବୋର୍ଡ ଏହା ଉପରେ ଗମ୍ଭୀରତା ପ୍ରକାଶ କରିଛି। ଏଣୁ ଏହାକୁ ଲକ୍ଷ୍ୟ କରି ମନ୍ଦିର କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି। ଭଗବାନଙ୍କୁ ପ୍ରଦୂଷଣରୁ ବଞ୍ଚାଇବା ଲାଗି ଏଭଳି ନିଆରା ଉପାୟ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।