ଏଇ ଭାରତରେ

ନିରବଚ୍ଛିନ୍ନ ସାଧନା ଓ ଗଭୀର ଅଧ୍ୟବସାୟ ବଳରେ ଅସାଧ୍ୟ ସାଧନ କରିହୁଏ। ଏହାଦ୍ୱାରା ନୂତନ ସୃଷ୍ଟି ସମ୍ଭବ ହୋଇପାରେ। ଗଭୀର ଆତ୍ମବିଶ୍ୱାସ ଏବଂ ଅବିରତ ସାଧନା ଦ୍ୱାରା ଜଣେ ଭାରତୀୟ ଇଞ୍ଜିନିୟର ତିଆରି କରିଛନ୍ତି ଏକ ଇଞ୍ଜିନ୍‌। ଏଥିରେ ପାଣିକୁ ଇନ୍ଧନ ରୂପେ ବ୍ୟବହାର କରାଯାଇପାରିବ। ତାମିଲନାଡୁର କୋଏମ୍ବାଟୁରରେ ଜଣେ ମେକାନିକାଲ ଇଞ୍ଜିନିୟର ଏସ୍‌. କୁମାରସ୍ବାମୀ ଏମିତି ଏକ ଇଞ୍ଜିନ ତିଆରି କରିଛନ୍ତି, ଯାହା ପାଣି ଦ୍ୱାରା ଚାଲିପାରିବ। ଏଥିପାଇଁ ତାଙ୍କୁ ୧୦ ବର୍ଷ ସମୟ ଲାଗିଛି। ଏହି ଇଞ୍ଜିନ ଡିଷ୍ଟିଲ ଓ୍ବାଟର (ପାତିତ ଜଳ)ରେ ଚାଲିପାରିବ। ଏହା ଏକ ପରିବେଶ ଅନୁକୂଳ ଇଞ୍ଜିନ ବୋଲି କୁହାଯାଉଛି। ଜଳ ପ୍ରକ୍ରିୟାକରଣ ଦ୍ୱାରା ଏହା ହାଇଡ୍ରୋଜେନରେ ଚାଲୁଥିବା ବେଳେ ଏଥିରୁ ଅକ୍ସିଜେନ୍‌ ନିର୍ଗତ ହେଉଛି। ଏମିତି ଏକ ଇଞ୍ଜିନ ତିଆରି କରିବାକୁ କୁମାରସ୍ବାମୀ ବହୁଦିନରୁ ସ୍ବପ୍ନ ଦେଖିଥିଲେ। ଏ ସମ୍ପର୍କରେ ସେ ନିଜ ଦେଶରେ ସହଯୋଗ ଲୋଡ଼ିଥିଲେ ମଧ୍ୟ ଭାରତରେ ତାଙ୍କୁ ସେପରି କିଛି ସହଯୋଗ ମିଳି ନ ଥିଲା। ସେ ଏ ନେଇ ଜାପାନ ସରକାରଙ୍କୁ ଅନୁରୋଧ କରିଥିଲେ। ସେଥିରେ ସଫଳ ହେବାପରେ ଏବେ ସେ ଏହି ଇଞ୍ଜିନକୁ ଖୁବ୍‌ଶୀଘ୍ର ଜାପାନରେ ଲଞ୍ଚ୍‌ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।