ଏଇ ଭାରତରେ

ମଦ ବିରୋଧରେ ଏକ ନିଆରା ଯୁଦ୍ଧ ଦେଖିବାକୁ ମିଳିଛି ଗୁଜରାଟରେ। ଗାନ୍ଧୀନଗର ଜିଲାର କଲୋଲ ତହସିଲ ଅନ୍ତର୍ଗତ ପିୟାଜ ଗାଁରେ ବିବାହ ପୂର୍ବରୁ କନ୍ୟା ପରିବାରର ଲୋକମାନେ ବରର ପାଟି ଶୁଂଘିବା ପରମ୍ପରା ପ୍ରଚଳିତ ରହିଛି। କେବଳ ବର ନୁହନ୍ତି, କନ୍ୟା ପକ୍ଷର ପ୍ରାୟ ୨୫ ଜଣ ବର ପରିବାର ଲୋକମାନଙ୍କର ପାଟି ଓ ନିଃଶ୍ୱାସକୁ ଶୁଂଘିଥାନ୍ତି। ବର କିମ୍ବା ତାଙ୍କ ପରିବାରର ଲୋକମାନେ କାଳେ ମଦ୍ୟପାନ କରୁଥିବେ ତାହା ଜାଣିିବା ପାଇଁ ଏପରିି କରାଯାଏ। ଯଦି କେହି ମଦ ପିଇଥିବା ଜଣାପଡ଼େ ତେବେ ବାହାଘର ବନ୍ଦ ହୋଇଯାଏ। ଏହି ନିୟମ ନିର୍ବନ୍ଧ ସମୟରେ ପାଳନ କରାଯାଇଥାଏ। ବାହାହେବାକୁ ଆସିବାବେଳେ ମଧ୍ୟ ବର ଓ ବରଯାତ୍ରୀଙ୍କର ନିଶ୍ୱାସ ଶୁଂଘିବା ପରମ୍ପରା ରହିଛି। ଯଦି ଏମାନେ ମଦ ପିଇଥିବା ଜଣାପଡେ ତେବେ ବର ପକ୍ଷକୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ହୁଏ। ଗାଁରେ ଏହି ପରମ୍ପରା ୪ ବର୍ଷ ପୂର୍ବରୁ ଆରମ୍ଭ ହୋଇଛି ଓ ଏହାକୁ ଆରମ୍ଭ କରାଯିବା ପଛରେ ଏକ କାରଣ ବି ରହିଛି। ଗାଁରେ ମଦ ପିଇ ୧୫ ଜଣ ଯୁବକଙ୍କ ମୃତ୍ୟୁ ହେବା ପରେ ଏହି ନିୟମ ଲାଗୁ କରାଯାଇଛି। ମୃତ୍ୟୁ ପରେ ଏମାନଙ୍କ ପରିବାରର ଦୁର୍ଦ୍ଦଶା ବଢିଯାଇଥିଲା। ଏଣୁ ଏହି ଘଟଣା ପରେ ବର ଓ ତାଙ୍କ ପରିବାର ଲୋକମାନେ ମଦ ପିଅନ୍ତି କି ନାହିଁ ତାହା ଜାଣିବା ଲାଗି ଏଭଳି ନିୟମ ଲାଗୁ କରାଯିବା ପାଇଁ ପଞ୍ଚାୟତ ନିଷ୍ପତ୍ତି ନେଇଥିଲା।