ଏଇ ଭାରତରେ

ପୋଲିସ ଉପରୁ ଭରସା ତୁଟିଗଲା ପରେ ଚୋରି ରୋକିବା ପାଇଁ ଏକ ଭିନ୍ନ ଉପାୟ ଆପଣାଉଥିବା ଘଟଣା ସାମ୍‌ନାକୁ ଆସିଛି ଛତିଶଗଡ଼ରେ। ସ୍କାର୍ଫ ଲଗାଇ ଗାଁରେ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି ଓ ନ ମାନିଲେ ଦେବାକୁ ପଡୁଛି ଜରିମାନା। ଧମତରି ଜିଲାର ମୁଖ୍ୟାଳୟଠାରୁ ୬୦ କିଲୋମିଟର ଦୂର ଚିଖଲି ପଞ୍ଚାୟତର ଗାଁଗୁଡ଼ିକରେ ଲାଗୁ କରାଯାଇଛି ଏପରି ଅଜବ କଟକଣା। ଏହି ଗାଁଗୁଡିକରେ ଲଗାତର ଚୋରି ହେଉଛି। ଏହି ଘଟଣା ସମ୍ବନ୍ଧରେ ଥାନାକୁ ଅବଗତ କରାଗଲେ ବି କିଛି ସୁଫଳ ମିଳୁନାହିଁ। ଚୋର ବି ଧରାପଡୁନାହାନ୍ତିି। ଥାନା ଉପରୁ ଲୋକଙ୍କ ଭରସା ତୁଟିଯିବା ପରେ ଚୋର କବଳରୁ ରକ୍ଷା ପାଇବା ପାଇଁ କେହି ସ୍କାର୍ଫ ଲଗାଇ ଗାଁରେ ପ୍ରବେଶ କରିପାରିବେ ନାହିଁ ବୋଲି କଟକଣା ଲଗାଯାଇଛି। ଏହି କଟକଣା ଲଗାଇବା ପାଇଁ ପଞ୍ଚାୟତର ସବୁ ଗାଁର ସମ୍ମତିିକ୍ରମେ ନିଷ୍ପତ୍ତି ହୋଇଛି। ମୁହଁରେ ସ୍କାର୍ଫ ଗୁଡାଇ ହୋଇ ଆସିଲେ କିଏ ଚୋର କିଏ ଗ୍ରାମବାସୀ ତାହା ଜଣାପଡୁ ନ ଥିବାରୁ ଏଭଳି କଟକଣାର ଆବଶ୍ୟକତା ରହିଛି ବୋଲି କୁହନ୍ତି ଗ୍ରାମବାସୀ। ପଞ୍ଚାୟତର ନିଷ୍ପତ୍ତିକୁ ଅମାନ୍ୟ କରି ଯେଉଁମାନେ ସ୍କାର୍ଫ ଲଗାଇ ଗାଁରେ ପ୍ରବେଶ କରିବେ ସେମାନେ ୫୦୦ ଟଙ୍କା ଜରିମାନା ଦେବେ ବୋଲି କୁହାଯାଇଛି। ଚୋରି ବନ୍ଦ କରିବାର ଏହି ଉପାୟ ଏବେ ଧମତରି ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।