ଏଇ ଭାରତରେ

ହିନ୍ଦୁଧର୍ମରେ ବୈଦିକ ରୀତିନୀତିରେ ଅଗ୍ନିକୁ ସାକ୍ଷୀ ରଖି ବାହାଘର କରାଯାଉଥିବାବେଳେ ରାଜସ୍ଥାନରେ ସମ୍ବିଧାନକୁ ସାକ୍ଷୀ ରଖି ବାହା ହୋଇଛନ୍ତି ବର-କନ୍ୟା। ଏମିତି ନିଆରା ବାହାଘର ଖର୍ଚ୍ଚ କମ୍‌ କରିବା ସହ ଲୋକଙ୍କ ପାଖରେ ଏକ ସାମାଜିକ ବାର୍ତ୍ତା ପହଞ୍ଚାଇଛି। ଉକ୍ତ ବାହାଘର ଅଲଓ୍ବାର ସହରଠାରୁ ୨୦ କିଲୋମିଟର ଦୂର କରୋଲି ଗାଁରେ ହୋଇଛି। ଏକ ଘରୋଇ କମ୍ପାନୀରେ କାମ କରୁଥିବା ଅଜୟ ଯାଦବ ଓ ବବିତା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏଠି ବର କନ୍ୟା ଘରକୁ ଯାଇ ନ ଥିଲେ, ବରଂ ଏକ ସୁସଜ୍ଜିତ ରଥରେ ବସି କନ୍ୟା ଶୋଭାଯାତ୍ରାରେ ଅଜୟଙ୍କ ଘରେ ପହଞ୍ଚତ୍ଥିଲେ। ଝିଅ-ପୁଅ ସମାନ ଓ ଲିଙ୍ଗ ସମାନତାର ସନ୍ଦେଶ ଦେବା ଲକ୍ଷ୍ୟରେ ବର ଘରକୁ ଯାଇଛନ୍ତି ବୋଲି ମତ ଦେଇଛନ୍ତିି ବବିତା। ସେ ଯେଉଁ ରଥରେ ବସି ବର ଘରକୁ ଯାଇଥିଲେ ତା’ର ଗୋଟିଏ ପାଖରେ ଆମ୍ବେଡକର ଓ ଅନ୍ୟପଟେ ଗୌତମ ବୁଦ୍ଧଙ୍କ ଫଟୋ ରଖାଯାଇଥିଲା। ବାହାଘରରେ କେହି ପଣ୍ଡିତ ନ ଥିଲେ କି କିଛି ମନ୍ତ୍ର ଉଚ୍ଚାରଣ କରାଯାଇ ନ ଥିଲା। ଅଜୟ ଓ ବବିତା ଖଣ୍ଡେ ଲେଖା ସମ୍ବିଧାନ କପିକୁ ଧରି ସଙ୍କଳ୍ପ ନେଇଥିଲେ। ବାହାଘରକୁ ଆମନ୍ତ୍ରିତ ହୋଇ ଆସିଥିବା ଅତିଥିମାନେ ନବବିବାହିତଙ୍କୁ କେବଳ ବହି ଉପହାର ଦେଇଥିଲେ। ପ୍ରାୟ ୩୦ ହଜାର ଟଙ୍କାର ଏହି ବହିଗୁଡିକୁ ସେମାନେ କରୋଲିରେ ଥିବା ଲାଇବ୍ରେରିକୁ ଦାନ କରିଦେଇଛନ୍ତି। ଏହି ଉତ୍ସବ ପୂରା ପ୍ଲାଷ୍ଟିକ୍‌ମୁକ୍ତ ରହିଥିଲା। ଆମନ୍ତ୍ରିତ ସମସ୍ତ ଅତିଥିଙ୍କୁ ସମ୍ବିଧାନର ଏକ କପି ମଧ୍ୟ ପ୍ରଦାନ କରାଯାଇଥିଲା।