ଏଇ ଭାରତରେ

ବିହାରର ଭୋଜପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୧୩ ବର୍ଷର ଜଣେ ବାଳିକାବଧୂ ବିବାହ ପୂର୍ବରୁ ପୋଲିସ ସହାୟତା ଲୋଡିଥିଲେ। ଏନେଇ ସେ ସ୍ଥାନୀୟ ମହିଳା ଥାନାକୁ ଏକ ଚିଠି ଲେଖି ବିବାହ କରିବାକୁ ତାଙ୍କର ଇଚ୍ଛା ନ ଥିବା ପ୍ରକାଶ କରିଥିଲେ। ଏଥିସହିତ ବରଙ୍କ ବୟସ ୩୪ ବର୍ଷ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ। ସ୍ଥାନୀୟ ଥାନାର ଟାଳଟୁଳ ନୀତି ଯୋଗୁ ନାବାଳିକା ସଦର ଏସ୍‌ଡିଓଙ୍କୁ ମଧ୍ୟ ଚିଠି ଲେଖିଥିଲେ। ଏସ୍‌ଡିଓ ଏନେଇ ତଦନ୍ତ ପାଇଁ ଧନଗାଇ ପୋଲିସ ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ବିବାହ ହେବ ନାହିଁ ବୋଲି ପୋଲିସ ପକ୍ଷରୁ ଆଶ୍ୱାସନା ମଧ୍ୟ ଦିଆଯାଇଥିଲା। ତେବେ ପୋଲିସ ଏହି ଘଟଣାରେ କିଛି ପଦକ୍ଷେପ ଗ୍ରହଣ ନ କରିବାରୁ ତାଙ୍କର ବିବାହ ହୋଇଯାଇଥିଲା। ବିବାହର ୨୦ ଦିନ ପରେ ଆରମ୍ଭ ହୋଇଛି ଖୋଳତାଡ଼। ମହିଳା ଥାନା ଅଧିକାରୀ ମାଧୁରୀ କୁମାରୀ ବଧୂଙ୍କ ଚିଠି ମିଳି ନ ଥିବା ସଫେଇ ଦେଇଛନ୍ତି। ବିବାହ କରାଇଥିବା ଅଖଗାଓଁ ମନ୍ଦିର ପୂଜାରୀଙ୍କୁ ଏନେଇ ପୋଲିସ ପଚରାଉଚରା କରିଛି। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।