ଏଇ ଭାରତରେ

ଜଣେ ସାଧାରଣ ରିକ୍ସାଚାଳକ ଅବହେଳିତ, ଗରିବ ଏବଂ ଅନାଥ ପିଲାଙ୍କ ଜୀବନ ଗଢିବାରେ ସବୁ ଉତ୍ସର୍ଗ କରିଦେବା କିଛି କମ୍‌ କଥା ନୁହେଁ। ଦୃଢ଼ ସଙ୍କଳ୍ପ ଓ ଉତ୍ସର୍ଗୀକୃତ ମନୋଭାବ ନେଇ ଏଭଳି କାର୍ଯ୍ୟ କରୁଛନ୍ତି ପଶ୍ଚିମବଙ୍ଗ ସିଲିଗୁଡିନିବାସୀ ଶିବ କଟ୍‌ଓ୍ବାଲ। ସେ ଇ-ରିକ୍ସା ଚଲାଇ ୧୯ ବର୍ଷ ହେବ ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି। ସାକ୍ଷରତା ଅଭିଯାନରେ ତାଙ୍କ ଭୂମିକା ମଧ୍ୟ ଉଲ୍ଲେଖନୀୟ। ତାଙ୍କୁ ଲୋକମାନେ ଲେକ ବାହାଦୁର ନାମରେ ବି ଜାଣନ୍ତି। ପିଲାମାନେ ବି ତାଙ୍କୁ ମାଷ୍ଟରଜୀ ବୋଲି ସମ୍ବୋଧନ କରନ୍ତି। କଟ୍‌ଓ୍ବାଲ ୯ମ ଯାଏ ପଢିଛନ୍ତି। ପରିବାରର ସ୍ଥିତି ଭଲ ନ ଥିବାରୁ ସେ ପାଠପଢା ଛାଡିଦେଇ ଚାକିରି ପାଇଁ ବେଙ୍ଗାଲୁରୁ ଯାଇଥିଲେ। ସେଠାରେ ଏକ ହୋଟେଲରେ ପରିବା କାଟିବା ଏବଂ ବାସନ ମାଜିବା କାର୍ଯ୍ୟ କରୁଥିଲେ। ବେଙ୍ଗାଲୁରୁରେ ନିର୍ଯାତନାର ଶିକାର ହେବାପରେ ସେଠାରୁ ଫେରିବା ସମୟରେ ଏକ ଚା’ ବଗିଚା ପାଖରେ ସେ ଚାରିପାଞ୍ଚ ଜଣ ଗରିବ ପିଲା ବୁଲୁଥିବା ଦେଖିବାକୁ ପାଇଥିଲେ। ଏମାନେ ବଡ଼ ହେଲେ ତାଙ୍କ ଭଳି ଦୁର୍ଦ୍ଦଶା ଯେମିତି ନ ଭୋଗିବେ ଓ ଭଲ ଶିକ୍ଷା ପାଇବେ, ଏହି ସଙ୍କଳ୍ପ ନେଇ ସେ ୨୦୦୦ ମସିହାରେ ଏକ କ୍ଲବ୍‌ ଘରେ ୭ ଜଣ ପିଲାଙ୍କୁ ଶିକ୍ଷାଦାନ ଆରମ୍ଭ କରିଥିଲେ।
ପରେ ସେହି ପାଠଶାଳାର ନାମ ‘ଖୁସି ପାଠଶାଳା’ ରଖିଥିଲେ। ଏବେ କଟ୍‌ଓ୍ବାଲ ସେଠାରେ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ପଢାଉଛନ୍ତି। ରିକ୍ସା ଚଲାଇ ପିଲାମାନଙ୍କ ଶିକ୍ଷା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରୁଛନ୍ତି। ସରକାରୀ କିମ୍ବା ବେସରକାରୀ ସ୍ତରରୁ କିଛି ବି ସାହାଯ୍ୟ ପାଇନାହାନ୍ତି। ଏବେ ତାଙ୍କ ପାଠଶାଳାରେ ୩୭ ଜଣ ପିଲା ପଢୁଛନ୍ତି। କେବଳ ଶିକ୍ଷା ନୁହେଁ, ସମର କଳା, ଜୁଡୋ, କରାଟେ ବି ଶିକ୍ଷା ଦିଆଯାଉଛି ଏହି ପାଠଶାଳାରେ। ଗରିବ ପିଲାମାନଙ୍କୁ ଶିକ୍ଷା ସହ ବ୍ୟକ୍ତିତ୍ୱ ଓ ଆଚରଣ ସମ୍ବନ୍ଧୀୟ ଶିକ୍ଷା ମଧ୍ୟ ଦେଉଛନ୍ତି। ସମାଜର ଦୁଃଖକୁ ଅନୁଭବ କରିବା ପାଇଁ ପ୍ରତି ବର୍ଷ ପିଲାମାନଙ୍କୁ ବୃଦ୍ଧାଶ୍ରମ ଓ ଅନାଥାଶ୍ରମକୁ ବୁଲାଇବାକୁ ନେଉଛନ୍ତି।