ଏଇ ଭାରତରେ

ଏଡ୍‌ସ ଏକ ମାରାମତ୍କ ରୋଗ ହେଲେ ମଧ୍ୟ ଏଥିରେ ପୀଡିତ ବ୍ୟକ୍ତି ସମାଜରେ ଅଛୁଁଆ ନୁହନ୍ତି। ସାଧାରଣ ଜୀବନଶୈଳୀରେ ବଞ୍ଚିବା ସହ ସମାଜର ସବୁ କାର୍ଯ୍ୟରେ ଏମାନଙ୍କ ଯୋଗଦାନ ରହିଛି ବୋଲି ବାର୍ତ୍ତା ଦେଇଛି କୋଲକାତାର ଏକ ଦୁର୍ଗାପୂଜା ମଣ୍ଡପ। ୧୦ ଜଣ ଏଡ୍‌ସ ପୀଡିତ ମହିଳା ଦୁର୍ଗାପୂଜା ମଣ୍ଡପ ନିର୍ମାଣ କରିଛନ୍ତି। ପୂର୍ବ କୋଲକାତାର କମରଟାଙ୍ଗା ସାଧାରଣ ଦୁର୍ଗୋତ୍ସବ ସମିତି ସହିତ ପରାଧୀନ ଭାରତର ଇତିହାସ ଯୋଡି ହୋଇ ରହିଛି। ଟେଙ୍ଗରାର ପାଣ୍ଟରୀ ରୋଡସ୍ଥିତ ଦୁର୍ଗା ମୈଦାନରେ ଏହି ପୂଜା ପ୍ରଥମେ ଆରମ୍ଭ ହୋଇ ଏଥର ଶହେବର୍ଷରେ ପଦାର୍ପଣ କରିଛି। ପୂଜା ମଣ୍ଡପକୁ ଏଡ୍‌ସ ପୀଡିତ ମହିଳାମାନେ ‘ଅପରୂପ ବଙ୍ଗଳା’ ଥିମ୍‌ରେ ନିର୍ମାଣ କରିଛନ୍ତି। ମଣ୍ଡପରେ ବଙ୍ଗଳାର ସଭ୍ୟତା, ସଂସ୍କୃତି ଓ ସୌନ୍ଦର୍ଯ୍ୟକୁ ପ୍ରଦର୍ଶନ କରାଯାଇଛି। ସମସ୍ତ ଏଡ୍‌ସ ପୀଡିତା ଉତ୍ତର ୨୪ ପ୍ରଗଣାରେ ରହନ୍ତି। ମଣ୍ଡପରେ ୧୧୦ କିଲୋ ରୁପାରେ ନିର୍ମିତ ମା’ ଦୁର୍ଗାଙ୍କ ୧୫ ଫୁଟ ଉଚ୍ଚା ମୂର୍ତ୍ତି ପୂଜା ପାଇବ। ମା’ଙ୍କ ମୂର୍ତ୍ତିକୁ ଉତ୍ତର ୨୪ ପ୍ରଗଣା ଜିଲା ହାଓ୍ବଡାସ୍ଥିତ ବାଣୀପୁରରେ ପ୍ରାୟ ୬ ମାସ ହେବ ୧୦ ଜଣ କାରିଗର ନିର୍ମାଣ କରୁଛନ୍ତି। ଏଥିରେ ୬୦ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। କିନ୍ତୁ ଏଥର ମା’ ଦୁର୍ଗା ହାତରେ ଅସ୍ତ୍ରଶସ୍ତ୍ର ନ ଧରି ପ୍ରଜ୍ୱଳିତ ଦୀପ ଧରିବେ। ଏହା ଶାନ୍ତିର ପ୍ରତୀକ ବୋଲି କୁହାଯାଉଛି।