ଏଇ ଭାରତରେ

ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ପ୍ରକ୍ରିୟାରେ କେବଳ କଲେଜ ପିଲାମାନେ ଭାଗ ନେଉଛନ୍ତି। କିନ୍ତୁ ସ୍କୁଲରେ ନିର୍ବାଚନ ହେବା ଶୁଣିଛନ୍ତି କି? ଛତିଶଗଡ଼ର କୋରବା ଅନ୍ତର୍ଗତ ଗଡକଟରା ଗାଁର ସରକାରୀ ସ୍କୁଲ୍‌ରେ ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଛି ଏମିତି ଏକ ନିର୍ବାଚନ। ଆଦିବାସୀ ଅଧିଷ୍ୟୁତ ଅଞ୍ଚଳରେ ଥିବା ଏହି ସ୍କୁଲ୍‌ରେ ପିଲାମାନେ ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ପିଲାମାନେ ଭୋଟ ଦେବା ପରେ ସେମାନଙ୍କ ଅଙ୍ଗୁଳିରେ କାଳିଚିହ୍ନ ଲଗାଯାଇଛି। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଦେଶରେ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ଶପଥ ନେବା ଭଳି ବିଜୟୀ ପ୍ରାର୍ଥୀମାନେ ଶପଥ ନେଇଛନ୍ତି। ଶପଥ ନେବା ସମୟରେ ନିର୍ବାଚିତ ହୋଇଥିବା ପୁଅମାନେ ଧୋତି ଓ ଝିଅମାନେ ଶାଢି ପିନ୍ଧି ଆସିଥିଲେ। ଗାଁର ଏହି ସ୍କୁଲକୁ ନିର୍ବାଚନ କେନ୍ଦ୍ର କରାଯାଏ। ଏଠାରେ ବି ଗାଁ ଲୋକଙ୍କ ତରଫରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଏ। ଠିକ୍‌ ଯେମିତି ସାଧାରଣ ନିର୍ବାଚନରେ ହୋଇଥାଏ। ବଡ଼ ପିଲାମାନଙ୍କ ପାଠ୍ୟକ୍ରମରେ ନିର୍ବାଚନ ସମ୍ବନ୍ଧରେ ଶିକ୍ଷା ଦିଆଯାଉଥିବାବେଳେ ଛୋଟ ପିଲାମାନେ ସ୍କୁ୍‌ଲରେ ସବୁବେଳେ ନିର୍ବାଚନ କ’ଣ ଓ ପୋଲିଂ ବୁଥ୍‌ ଭିତରେ କ’ଣ ହୁଏ ବୋଲି ସ୍କୁଲର ଶିକ୍ଷକ ଶ୍ରୀକାନ୍ତି ସିଂଙ୍କୁ ପ୍ରଶ୍ନ କରନ୍ତି। ଏଣୁ ପିଲାମାନଙ୍କୁ ନିର୍ବାଚନ ସମ୍ପର୍କରେ ଜଣାଇବା ପାଇଁ ଏହି ସାଙ୍କେତିକ ନିର୍ବାଚନ କରାଯାଇଛି। ନିର୍ବାଚନରେ ପିଲାମାନଙ୍କୁ ପ୍ରାର୍ଥୀମାନଙ୍କ ନାମ ସହ ଛାତ୍ର ସଂସଦ ନିର୍ବାଚନ ଲେଖାଥିବା ଏକ ମତପତ୍ର ପ୍ରଦାନ କରାଯାଇଥିତ୍ଲା। ସେଥିରେ ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଇଥିବା ଗାଣିତିକ ଚିହ୍ନ ମଧ୍ୟ ରହିଥିଲା। ପିଲାମାନେ ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ନିର୍ବାଚନ ଫଳାଫଳ ବାହାରିବା ପରେ ପିଲାମାନଙ୍କ ମଧ୍ୟରେ ମିଠା ବଣ୍ଟାଯାଇଥିତ୍ଲା।