ଏଇ ଭାରତରେ

ଛୋଟ ପିଲାଙ୍କ ମନ ଓ ହୃଦୟ ଅଲେଖା ସ୍ଲେଟ୍‌ ପରି ନିର୍ମଳ। ସେମାନଙ୍କ ମଧ୍ୟରେ କୌଣସି ଧର୍ମ, ଜାତି, ସମ୍ପ୍ରଦାୟ ଜ୍ଞାନ ନ ଥାଏ। ଛତିଶଗଡ଼ ରାୟପୁରରେ ଏଭଳି ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏଠାରେ ବାସ କରୁଥିବା ରମ୍‌ଜାନ ଓ ମୁବାରକ ଘରୁ ଲୁଚି ସ୍ଥାନୀୟ ରେଲ୍‌ଓ୍ବେ ଫାଟକଠାରେ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରିଛନ୍ତି। ରମଜାନ୍‌ ସ୍ବପ୍ନରେ ଗଣେଶଙ୍କୁ ଦେଖିଥିବା କଥା ତାଙ୍କ ସାଙ୍ଗ ମୁବାରକଙ୍କୁ କହିଥିଲେ। ଏହାପରେ ଦୁଇ ସାଙ୍ଗ ଗଣେଶ ପୂଜା କରିବା ପାଇଁ ଘରୁ ଲୁଚି ପଳାଇଥିଲେ। ସ୍ଥାନୀୟ ଶାରଦା ବିହାର କଲୋନୀରେ ଗଣେଶ ପୂଜା ଲାଗି ସେମାନେ ଘର ଘର ବୁଲି ଚାନ୍ଦା ସଂଗ୍ରହ କରିଥିଲେ। ରେଲଓ୍ବେ ଫାଟକ ନିକଟରେ ବାଉଁଶ ତାଟିରେ ଛୋଟ ପେଣ୍ଡାଲ ତିଆରି କରି ସେଠାରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ। ଲୋକେ ପେଣ୍ଡାଲ ଦେଖି ସେଠାରେ ପୂଜା କରିବାକୁ ଆସିଥିଲେ। ଦୁଇ ନାବାଳକଙ୍କୁ ସ୍ଥାନୀୟ ଲୋକେ ଖାଇବାକୁ ମଧ୍ୟ ଦେଇଥିଲେ। ତେବେ ଦୁଇଦିନ ଧରି ଘରୁ ରମଜାନ୍‌ ଏବଂ ମୁବାରକ ନିଖୋଜ ହେବା ପରେ ପରିବାର ସଦସ୍ୟ ପୋଲିସ ଥାନାରେ ଖବର ଦେଇଥିଲେ। ପୋଲିସ ସହରସାରା ଦୁଇ ନାବାଳକଙ୍କୁ ଖୋଜିବା ପରେ ରେଲଓ୍ବେ ଫାଟକ ପାଖରୁ ସେମାନଙ୍କୁ ଉଦ୍ଧାର କରିଥିଲେ। ପଚରାଉଚରା ପରେ ଦୁଇ ନାବାଳକ ସତକଥା ପ୍ରକାଶ କରିଥିଲେ। ତେବେ ଦୁଇଜଣଙ୍କ ଉତ୍ତର ସମସ୍ତଙ୍କୁ ଯେତିକି ଖୁସି କରିଥିଲା ସେତିକି ବିସ୍ମିତ କରିଥିଲା।