ଏଇ ଭାରତରେ

ଜାମିନ ଚାହୁଁଥିଲେ ଲଗାଇବାକୁ ପଡିବ ୫ ଚାରା। ୬ ମାସ ପର୍ଯ୍ୟନ୍ତ ଯତ୍ନ ବି ନେବାକୁ ହେବ। ଉତ୍ତରପ୍ରଦେଶ ବାନ୍ଦା ଜିଲା ନରେନିର ମାଜିଷ୍ଟ୍ରେଟ୍‌ ବନ୍ଦିତା ଶ୍ରୀବାସ୍ତବ ବୃକ୍ଷରୋପଣର ଏକ ନିଆରା ସୂତ୍ର ବାହାର କରିଛନ୍ତି। ‘ହରିୟାଲି ଦଣ୍ଡ’ ବ୍ୟବସ୍ଥା କରି ଅପରାଧୀମାନଙ୍କୁ ଏବେ ସେ ସର୍ତ୍ତମୂଳକ ଜାମିନ ଦେଉଛନ୍ତି। ଉକ୍ତ ସର୍ତ୍ତ ଅନୁଯାୟୀ, ଯେଉଁମାନେ ଜାମିନରେ ଯାଉଛନ୍ତି ସେମାନେ ୫ଟି ଚାରା ଲଗାଇବା ସହ ୬ ମାସ ପର୍ଯ୍ୟନ୍ତ ସେଗୁଡିକର ଯତ୍ନ ନେବେ। ଏ ପର୍ଯ୍ୟନ୍ତ ଏହି ନିୟମ ଅନୁଯାୟୀ ପାଖାପାଖି ୫ଶହ ବୃକ୍ଷରୋପଣ କରାଯାଇଥିବା ସେ କହିଛନ୍ତି। ଜାମିନ ପାଇଥିବା ବ୍ୟକ୍ତିମାନେ ନିଜ ବାଡି, ବିଦ୍ୟାଳୟ ବା ପଞ୍ଚାୟତ ପୋଖରୀ ସଂଲଗ୍ନ ସ୍ଥାନରେ ଗଛ ଲଗାଇପାରିବେ। ତେବେ ସମ୍ପୃକ୍ତ ବ୍ୟକ୍ତି ଜଣକ ଗଛ ଲଗାଇଛନ୍ତି କି ନା, ତାହା ସ୍ପଷ୍ଟ କରିବାକୁ ଏମାନେ କୋର୍ଟରେ ହାଜର ହେବା ଦିନ ଲଗାଇଥିବା ଗଛ ସହ ସେଲ୍‌ଫି ନେଇ ତା’ର ଏକ କପି ଦାଖଲ କରିବାକୁ କୁହାଯାଇଛି। ପ୍ରଶ୍ନ ଉଠୁଛି, ଜଣେ ଯଦି ଏହି ସର୍ତ୍ତରେ ରାଜି ନ ହୁଅନ୍ତି; ତେବେ କ’ଣ ତାଙ୍କୁ ଜାମିନ ମିଳିବ ନାହିଁ? ଏହାର ଉତ୍ତରରେ ବନ୍ଦିତା କହିଛନ୍ତି, ସେମିତି କିଛି ନିୟମ ନାହିଁ। କିନ୍ତୁ ଯେଉଁମାନଙ୍କୁ ଜାମିନ ମିଳୁଛି, ସେମାନଙ୍କୁ ଗଛ ଲଗାଇବାକୁ ପ୍ରେରଣା ଦିଆଯାଉଛି।