ଏଇ ଭାରତରେ

ଓଳେଇବା କାର୍ଯ୍ୟରେ ଝାଡୁ ବ୍ୟବହାର କରାଯାଏ। ଏହା ପରିଷ୍କାର ଓ ପରିଚ୍ଛନ୍ନତାର ଏକ ପ୍ରତୀକ। କେନ୍ଦ୍ର ସରକାର ୨୦୧୪ରେ ସ୍ବଚ୍ଛ ଭାରତ ମିଶନ ଆରମ୍ଭ କରିଥିଲେ। ଏହାର ଲକ୍ଷ୍ୟ ହେଉଛି ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା। ଏହାଦ୍ୱାରା ପରିବେଶ ଜୀବାଣୁମୁକ୍ତ ହେବା ସହିତ ବିଭିନ୍ନ ସଂକ୍ରାମକ ରୋଗକୁ ଦୂରେଇ ରଖାଯାଇ ପାରିବ। କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତ ହୋଇ ରାଜସ୍ଥାନ ପଲାମୁର ଅଞ୍ଚଳର ଜଣେ ୨୨ ବର୍ଷ ବୟସ୍କ ଶିକ୍ଷକ ତିଆରି କରିଛନ୍ତି ୬୬ ଫୁଟର ଏକ ଝାଡୁ। ସେ ଏକ ସଂସ୍କୃତ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ଏବେ ଏହି ଝାଡୁକୁ ରାଣାବାସସ୍ଥିତ ମେଘଓ୍ବାଲ ଛାତ୍ରାବାସରେ ରଖାଯାଇଛି। ଏହା ବିଶ୍ୱ ରେକର୍ଡରେ ସ୍ଥାନିତ ହେବ ବୋଲି ଅଶୋକ ଆଶା ରଖିଛନ୍ତି। ଅଶୋକଙ୍କୁ ଏହି ଝାଡୁ ନିର୍ମାଣରେ ତାଙ୍କ ସାଥୀ ମଙ୍ଗିଲାଲ୍‌ ରାଠୋଡ୍‌, ସୁଖଦେବ ଗୋୟଲ, ବିନୋଦ କୁମାର ମେହେରା ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୪ ଅକ୍ଟୋବର ୨ରୁ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ମିଶନ ଦ୍ୱାରା ଅଶୋକ ଅନୁପ୍ରାଣିତ ହୋଇଥିଲେ। ଅଶୋକଙ୍କ ଝାଡୁ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।