ଏଇ ଭାରତରେ

ପରିବାରରେ ସ୍ତ୍ରୀ ଓ ସ୍ବାମୀଙ୍କ ମଧ୍ୟରେ ବିବାଦ ଥିଲେ ଛାଡ଼ପତ୍ର ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବା ସାଧାରଣ କଥା। ମାତ୍ର ଉତ୍ତରପ୍ରଦେଶ ମିରଟ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ସବୁବେଳେ ଲଡୁ ଖାଇବାକୁ ଦେବାରୁ ଏଥିରେ ବିରକ୍ତ ହୋଇ ସ୍ବାମୀ ଛାଡ଼ପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି। ସେ କହିଛନ୍ତି, ତାଙ୍କ ଦେହ କିଛିଦିନ ତଳେ ଖରାପ ଥିଲା। ଏଥିନେଇ ସ୍ତ୍ରୀ ଜଣେ ତାନ୍ତ୍ରିକଙ୍କ ସହିତ ପରାମର୍ଶ କରିଥିଲେ। ତାନ୍ତ୍ରିକ ତାଙ୍କୁ ବୁଝାଇ ଦେଇଥିଲେ, ସବୁଦିନେ ଲଡୁ ଖାଇବାକୁ ଦେଲେ ତୁମ ସ୍ବାମୀ ଆରୋଗ୍ୟ ହୋଇଯିବେ। ସେବେଠାରୁ ଏହି ମହିଳା ତାଙ୍କ ସ୍ବାମୀଙ୍କୁ କେବଳ ଲଡୁ ହିଁ ଖାଇବାକୁ ଦେଉଛନ୍ତି। ଏପରିକି ତାଙ୍କୁ ବାହାରେ ଖାଇବାକୁ ମଧ୍ୟ ବାରଣ କରୁଛନ୍ତି। ଏଥିପାଇଁ ସ୍ବାମୀ ଅତିଷ୍ଠ ହୋଇପଡିଲେଣି। ସେ ଅନ୍ୟ କୌଣସି ଉପାୟ ନ ପାଇ ଶେଷରେ ସ୍ତ୍ରୀଙ୍କୁ ବିଦାକରିବା ଲାଗି ଛାଡ଼ପତ୍ର ଏକମାତ୍ର ବିକଳ୍ପ ବୋଲି ଭାବି ନେଇଛନ୍ତି। ତେଣୁ ସେ ଫ୍ୟାମିଲି କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଉକ୍ତ ମହିଳାଙ୍କୁ କାଉନ୍‌ସେଲିଂ ପାଇଁ ବ୍ୟବସ୍ଥା କରାଯାଇଛି। ସ୍ତ୍ରୀଙ୍କ ଅନ୍ଧବିଶ୍ୱାସକୁ କିପରି ଦୂର କରାଯିବ ସେ ଲାଗି ଚିନ୍ତା କରାଯାଉଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।