ଏଇ ଭାରତରେ

ଶହୀଦଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ରାଖୀ ପୂର୍ଣ୍ଣିମା ଉପହାର। ମଧ୍ୟପ୍ରଦେଶର ଦେପାଲପୁର ଅନ୍ତର୍ଗତ ପୀର ପିପ୍‌ଲିୟା ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ, ଯାହା ସମସ୍ତଙ୍କ ମୁହଁରେ ହସ ଖେଳାଇ ଦେଇଛି। ଏଠାକାର ବାସିନ୍ଦା ହାବିଲଦାର ମୋହନ ସିଂ ସୁନେର ବିଏସ୍‌ଏଫ୍‌ ଯବାନ ଭାବେ ତ୍ରିପୁରାରେ କାର୍ଯ୍ୟରତ ଥିବା ସମୟରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ। ମୋହନଙ୍କ ପରିବାର ଗାଁରେ ଅତି ଦୁଃଖକଷ୍ଟରେ ସମୟ କାଟୁଥିଲେ। ଏମିତି କି ସେମାନଙ୍କ ପାଖରେ ରହିବା ପାଇଁ ଘର ଖଣ୍ଡେ କି ଖାଇବା ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ନ ଥିଲା। ଏଥିପାଇଁ ପରିବାର ଲୋକେ ମଜୁରି ଲାଗି ପେଟ ପୋଷୁଥିଲେ। ଶହୀଦ ପରିବାରଙ୍କ ଏପରି ଦୁର୍ଦ୍ଦଶା ଦେଖି ଗାଁ ଲୋକେ ଚାନ୍ଦା କରି ପାଖାପାଖି ୧୧ ଲକ୍ଷ ଟଙ୍କା ଯୋଗାଡ କଲେ। ସେହି ଟଙ୍କା ବିନିମୟରେ ଗଁା ଲୋକେ ମୋହନଙ୍କ ପରିବାର ପାଇଁ ଏକ ସୁନ୍ଦର ଘର ତିଆରି କରିଦେଇଛନ୍ତି। ରାଖୀ ପୂର୍ଣ୍ଣିମା ଅବସରରେ ଗାଁର ଯୁବକମାନେ ମିଶି ମୋହନଙ୍କ ସ୍ତ୍ରୀଙ୍କୁ ଘରର ଚାବି ଦେଇଛନ୍ତି। ଆଗାମୀ ଦିନରେ ଶହୀଦ ମୋହନଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଗାଁ ସ୍କୁଲକୁ ତାଙ୍କ ନାମରେ ନାମିତ କରିବାର ଯୋଜନା ରଖିଛନ୍ତି ଗ୍ରାମବାସୀ। ବାସ୍ତବରେ ଶହୀଦଙ୍କ ଅସହାୟ ପରିବାର ପ୍ରତି ଗଁା ଲୋକଙ୍କ ବଦାନ୍ୟତା ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ।