ଏଇ ଭାରତରେ

ପରିଣତ ବୟସରେ ମାତାପିତାଙ୍କୁ ଅଯଥା ବୋଝ ମନେକରି ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦିଆଯାଉଛି। କେତେକ ବ୍ୟକ୍ତି ସେମାନଙ୍କ ମାତାପିତାଙ୍କୁ ପ୍ରତିପୋଷଣ କରିବାକୁ କୁଣ୍ଠାବୋଧ କରିବା ସହ ନିର୍ଯାତନା ମଧ୍ୟ ଦେଇଥାଆନ୍ତି। କିନ୍ତୁ ଜଣେ ପିତାଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ପୁଅ ତାଙ୍କ ମୃତଦେହକୁ ସାମ୍ନାରେ ରଖି ବିବାହ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ତାମିଲନାଡୁର ବିଲ୍ଲୁପୁରମ୍‌ରେ ଘଟିଛି ଏମିତି ଏକ ଘଟଣା। ୩୧ ବର୍ଷୀୟ ଆଲେକ୍‌ଜାଣ୍ଡରଙ୍କର ବିବାହ ଖୁବ୍‌ ଧୁମ୍‌ଧାମ୍‌ରେ କରିବେ ବୋଲି ତାଙ୍କ ପିତା ସ୍ଥିର କରିଥିଲେ। ଆସନ୍ତା ସେପ୍ଟେମ୍ବର ୨ରେ ଆଲେକ୍‌ଜାଣ୍ଡରଙ୍କର ବିବାହ ହୋଇଥାଆନ୍ତା। ହେଲେ ଗତ ଶୁକ୍ରବାର ତାଙ୍କ ପିତା ଦେବମଣିଙ୍କର ହଠାତ୍‌ ମୃତ୍ୟୁ ହୋଇଗଲା। ଏଥିରେ ପୁଅ ଆଲେକ୍‌ଜାଣ୍ଡର ଭାଙ୍ଗି ପଡିଲେ ସତ। ହେଲେ ପିତାଙ୍କ ସାମ୍ନାରେ ସେ ବିବାହ କରିବେ ବୋଲି ନିଷ୍ପତ୍ତି ନେଲେ। ପିତାଙ୍କ ସଂସ୍କାର ପୂର୍ବରୁ ସେ ଯେମିତି ହେଉ ବିବାହ କରିବାକୁ ଚିନ୍ତା କଲେ। ଏଥିପାଇଁ ସେ ବିବାହ କରିବାକୁ ଯାଉଥିବା ଅନ୍ନପୂର୍ଣ୍ଣାନୀଙ୍କ ସହ କଥା ହୋଇ ବିବାହ ପାଇଁ ଆୟୋଜନ କଲେ। ଅନ୍ନପୂର୍ଣ୍ଣାନୀ ବୃତ୍ତିରେ ଜଣେ ଶିକ୍ଷୟିତ୍ରୀ ହୋଇଥିବା ବେଳେ ସେ ଆଲେକ୍‌ଜାଣ୍ଡରଙ୍କ କଥାରେ ରାଜି ହୋଇ ଯାଇଥିଲେ। ଏହାପରେ ବରଯାତ୍ରୀ ସହ ପିତାଙ୍କ ମୃତଦେହକୁ ନେଇ କନ୍ୟାଘରକୁ ଯାଇ ବିବାହ କରିଥିଲେ ଆଲେକ୍‌ଜାଣ୍ଡର। ଆଉ ବିବାହ ପରେ ଆଲେକ୍‌ଜାଣ୍ଡରଙ୍କ ପିତାଙ୍କର ମୃତଦେହକୁ ସଂସ୍କାର କରାଯାଇଥିଲା।