ଏଇ ଭାରତରେ

ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠାରେ ବିଭିନ୍ନ ଜାତି ଓ ଧର୍ମର ଲୋକେ ବାସ କରନ୍ତି। ପ୍ରତ୍ୟେକ ଧର୍ମର ରୀତିନୀତି, ଚାଲିଚଳନ ଓ ସଂସ୍କୃତି ଭିନ୍ନ ଭିନ୍ନ। କୌଣସି ପ୍ରସଙ୍ଗକୁ ନେଇ ବେଳେବେଳେ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟିହୁଏ। ଏହା ଜାତୀୟ ସଂହତିରେ ପ୍ରତିବନ୍ଧକ ଆଣିବା ସହିତ ଦେଶରେ ଅସ୍ଥିରତା ଓ ଅଶାନ୍ତି ସୃଷ୍ଟିକରିବା ପାଇଁ ଖୋରାକ ଯୋଗାଏ। କିନ୍ତୁ ଜଣେ ମୁସଲମାନ ପରିବାର ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ଏକ ନିଆରା ପନ୍ଥା ଆପଣାଇଛନ୍ତି। ଉକ୍ତ ପରିବାର ବିବାହ ନିମନ୍ତ୍ରଣ କାର୍ଡରେ ହିନ୍ଦୁଙ୍କ ପୌରାଣିକ କଥାବସ୍ତୁର ମୁଖ୍ୟଚରିତ୍ର ସୀତାରାମଙ୍କ ଫଟୋ ଛାପିଛନ୍ତି। ଉତ୍ତରପ୍ରଦେଶର ଏହି ମୁସଲମାନ ପରିବାର ଏଥିପାଇଁ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଶାହଜାହାନପୁର୍‌ର ଚିଲୁଆ ଗଁାରେ ବାସକରୁଥିବା ଏହି ପରିବାରର ଝିଅ ରୁକ୍‌ଶାର୍‌ର ବିବାହ ହେବାକୁ ଯାଉଥିବାବେଳେ ନିମନ୍ତ୍ରଣ କାର୍ଡରେ ସୀତାରାମଙ୍କ ଫଟୋ ଛାପିଛନ୍ତି। ଗଁାରେ ଉଭୟ ହିନ୍ଦୁ ଏବଂ ମୁସଲମାନ ପରିବାର ବାସକରନ୍ତି। ଏହାଦ୍ୱାରା ଦୁଇ ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇପାରିବ ବୋଲି ରୁକ୍‌ଶାର୍‌ଙ୍କ ମା’ କହିଛନ୍ତି। ଗଁାର ସମସ୍ତ ଲୋକେ ଏହି କାର୍ଡକୁ ଆଦରର ସହିତ ଗ୍ରହଣ କରିଛନ୍ତି। ସାମ୍ପ୍ରଦାୟିକ ସଦ୍‌ଭାବନାର ଏହା ଏକ ନିଆରା ନିଦର୍ଶନ ନିଶ୍ଚୟ।