ଏଇ ଭାରତରେ

ଲାଞ୍ଚ ନ ଦେବାରୁ ଗରିବ ବିଧବାଙ୍କୁ କୋଟିପତି ଦର୍ଶାଗଲା। ଏପରି ଏକ ଘଟଣା ଅଯୋଧ୍ୟାରେ ଘଟିଛି। ଉତ୍ତରପ୍ରଦେଶର ବିକାପୁର ତହସିଲର ତାରାଦେବୀ ଗରିବ ଓ ବିଧବା। ନିକଟରେ ସେ ତାଙ୍କ ପୁଅ ଅମିତର ପାଠପଢ଼ା ଓ ଛାତ୍ରବୃତ୍ତି ପାଇଁ ବାର୍ଷିକ ଆୟ ପ୍ରମାଣପତ୍ର ବାହାର କରିବାକୁ ତହସିଲ କାର୍ଯ୍ୟାଳୟ ଯାଇଥିଲେ। ବହୁବାର ସେ ସେଠାକୁ ଦୌଡ଼ିବା ପରେ ମଧ୍ୟ ତାଙ୍କୁ ଏହି ପ୍ରମାଣପତ୍ର ମିଳି ନ ଥିଲା। ପୁଅର ଛାତ୍ରବୃତ୍ତି ପାଇଁ ଆବେଦନ ତାରିଖ ଜୁଲାଇ ୩୦ ଥିବାବେଳେ ତହସିଲ କାର୍ଯ୍ୟାଳୟରେ ଗୁହାରି କରିବାରୁ ସେଠାକାର ଜଣେ କର୍ମଚାରୀ ତାରାଦେବୀଙ୍କୁ ଏମିତି ଏକ ଆୟ ପ୍ରମାଣପତ୍ର ଦେଇଥିଲେ ଯାହା ଦେଖିବା ପରେ ସେ ଏହାକୁ ବିଶ୍ୱାସ କରିପାରି ନ ଥିଲେ। ଉକ୍ତ ପ୍ରମାଣପତ୍ରରେ ତାରାଦେବୀଙ୍କ ବାର୍ଷିକ ଆୟ ୫ କୋଟି ୨୦ ଲକ୍ଷ ଉଲ୍ଲେଖ କରାଯାଇଥିଲା। ଏହାକୁ ଦେଖିବା ପରେ ଉଭୟ ତାରାଦେବୀ ଓ ତାଙ୍କ ପୁଅ କିଛି ବୁଝି ପାରି ନ ଥିଲେ। ଶେଷରେ ପୁଅ ଅମିତ ମଧ୍ୟ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରି ନ ଥିଲେ। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତାରାଦେବୀ ଗୁହାରି କରିଥିବା କହିଛନ୍ତି। ତେବେ ଲାଞ୍ଚ ନ ଦେବାରୁ ଏପରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।