ଏଆଇସିସିରୁ ଡକରା ପାଇ ଦିଲ୍ଲୀରେ ମୋକିମ୍‌

ଭୁବନେଶ୍ୱର,୧୩ା୨(ବ୍ୟୁରୋ): କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ପରବର୍ତ୍ତୀ ସଭାପତି ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୋକିମ୍‌ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ନେତାଙ୍କ ଡକରା ପାଇ ଦିଲ୍ଲୀ ଯିବାପରେ ଏଭଳି ଚର୍ଚ୍ଚା ଶୁଣିବାକୁ ମିଳୁଛି। ବୁଧବାର ମୋକିମ୍‌ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ମାଧବନଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟିଛନ୍ତି। ଏହା ସହ ସେ ଏଆଇସିସି ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ଅହମ୍ମଦ ପଟେଲ, କେସି ବେଣୁଗୋପାଳଙ୍କୁ ମଧ୍ୟ ଭେଟି ସେମାନଙ୍କ ସହ ଓଡିଶା କଂଗ୍ରେସର ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ମୋକିମ୍‌ ପୁନର୍ବାର ଗୁରୁବାର ଦିଲ୍ଲୀରେ ଅନ୍ୟ ନେତାମାନଙ୍କୁ ଭେଟିବାକୁ ଥିବା ମଧ୍ୟ ଜଣାପଡିଛି। ସେ ଶୁକ୍ରବାର ଓଡିଶା ଫେରିବେ ବୋଲି ସୂଚନା ମିଳିଛି।
ସାଧାରଣ ନିର୍ବାଚନ ପରଠାରୁ ରାଜ୍ୟରେ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ଦାବି ଜୋର୍‌ ଧରିଛି। ବିଭିନ୍ନ ସମୟରେ ରାଜ୍ୟ କଂଗ୍ରେସର ମାଳମାଳ ନେତା ଦିଲ୍ଲୀ ଯାଇ ନିରଞ୍ଜନଙ୍କୁ ହଟାଇବା ଲାଗି ଏଆଇସିସିର ବରିଷ୍ଠ ନେତାମାନଙ୍କ ପାଖରେ ଦାବି କରିଆସୁଛନ୍ତି। ଏହାସହ ସୋନିଆଙ୍କୁ ମଧ୍ୟ ଏଥିପାଇଁ ବାରମ୍ବାର ଓଡିଶା ନେତାମାନେ ଭେଟିବାରେ ଲାଗିଛନ୍ତି। ପିସିସି ସଭାପତି ପରିବର୍ତ୍ତନ ଲାଗି ନିକଟରେ ଦିଲ୍ଲୀ ଗସ୍ତ କରିଥିବା ପଶ୍ଚିମ ଓ ଉପକୂଳ ଓଡିଶାର କେତେଜଣ ନେତା ଡେରା ପକାଇ ଅଛନ୍ତି। କିଛିଦିନ ତଳେ ଦୁଇଟି ପର୍ଯ୍ୟାୟରେ କେତେଜଣ ନେତା ଦିଲ୍ଲୀ ଗସ୍ତ ମଧ୍ୟ କରିଥିଲେ। ଏହାପରେ ଓଡିଶା କଂଗ୍ରେସ ଭବନଠାରେ ଚାଲିଥିବା ଏକ କାର୍ଯ୍ୟକ୍ରମ ସମୟରେ ନିରଞ୍ଜନଙ୍କୁ ହଟାଇବାକୁ ବହୁ ନେତା ରାଜ୍ୟ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିଲେ। ମାତ୍ର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ କିନ୍ତୁ ପିସିସି ସଭାପତି ବର୍ତ୍ତମାନ ସ୍ଥିତିରେ ପରିବର୍ତ୍ତନ ହେବ ନାହିଁ ବୋଲି କହିଆସୁଥିଲେ। ମାତ୍ର ମୋକିମ୍‌ଙ୍କୁ କିଛିଦିନ ତଳେ ଏଆଇସିସି ପକ୍ଷରୁ ଡକାଯାଇଥିବା ବେଳେ ସେ ଦିଲ୍ଲୀ ଯାଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ଫେରିଥିଲେ। ମାତ୍ର ଏହା ବାହାରକୁ ଜଣାପଡି ନ ଥିବାବେଳେ ଦ୍ୱିତୀୟ ଥର ଲାଗି ମୋକିମ୍‌ ଦିଲ୍ଲୀ ଯାଇଛନ୍ତି। ଅନ୍ୟପଟେ ନିରଞ୍ଜନଙ୍କୁ ହଟାଇବା ଲାଗି ଦିଲ୍ଲୀ ଯାଉଥିବା ନେତାମାନେ ମୋକିମ୍‌ଙ୍କୁ ସଭାପତି କରିବା ଲାଗି ଦାବି କରିଆସୁଛନ୍ତି।
ସୂଚନାଯୋଗ୍ୟ ଯେ, ସାଧାରଣ ନିର୍ବାଚନ ପରେ ନିରଞ୍ଜନଙ୍କୁ ଚାରିଆଡୁ ବିରୋଧ ହେବାପରେ ସୋନିଆ ଗାନ୍ଧୀ ରାଜ୍ୟ କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲେ। ମାତ୍ର ପିସିସି ସଭାପତି ଏବଂ ରାଜ୍ୟର ଦୁଇ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏବଂ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦାୟିତ୍ୱରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ପର୍ଯ୍ୟନ୍ତ ଦଳର କୌଣସି କମିଟି ଗଠନ ହୋଇପାରି ନାହିଁ। ଅନ୍ୟପକ୍ଷରେ ମିଳିଥିବା ସୂଚନା ମୁତାବକ କେବଳ ଓଡିଶା ନୁହେଁ ବରଂ ଅନ୍ୟ କେତୋଟି ରାଜ୍ୟରୁ ମଧ୍ୟ ନେତାଙ୍କୁ ଏଆଇସିସି ପକ୍ଷରୁ ଡକାଯାଇଛି।