ଋଷ୍ୟଶୃଙ୍ଗ-ଶାନ୍ତାକୁମାରୀଙ୍କ ବିବାହ

ବାସୁଦେବପୁର, ୧୬ା୬(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ପଢ଼ୁଁଆ ପଞ୍ଚାୟତ ସରପୋଖରୀଆଡ଼ିଠାରେ ଋଷ୍ୟଶୃଙ୍ଗ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଋଷ୍ୟଶୃଙ୍ଗ-ଶାନ୍ତାକୁମାରୀଙ୍କ ବିବାହ ଉତ୍ସବ ୩ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରବିବାର କଳସପୂଜା କରାଯାଇଥିଲା। ସୋମବାର ମଙ୍ଗଳବାର ଦୁଇଦିନ ଧରି ଋଷ୍ୟଶୃଙ୍ଗ ଓ ଶାନ୍ତାକୁମାରୀଙ୍କ ବିଗ୍ରହ ପୂଜା ପୂର୍ବକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ପୌରାଣିକ କଥାବସ୍ତୁ ଆଧାରରେ ରାଜ ଲୋମପାଦଙ୍କ ରାଜ୍ୟରେ ଅନାବୃଷ୍ଟିକୁ ଦୂରେଇବା ପାଇଁ ଗଣିକା ଜରତା ସହାୟତାରେ ଋଷ୍ୟଶୃଙ୍ଗଙ୍କୁ ସ୍ବର୍ଗରୁ ମର୍ତ୍ତ୍ୟ ରାଜ୍ୟକୁ ଅଣାଯାଇଥିଲା। ଏହି ପରମ୍ପରାକୁ ବଜାଇ ରଖିବା ଉଦ୍ଦେଶ୍ୟରେ ବିରଜା ପାଞ୍ଜିରେ ଅନୁମୋଦିତ ଏହି କଥାବସ୍ତୁକୁ ପ୍ରତିବର୍ଷ ବିଗ୍ରହଙ୍କ ବିବାହ ଉତ୍ସବ ପରମ୍ପରା ବିଧିପୂର୍ବକ ପାଳନ ହେଉଛି। ଏହି ପୂଜା ମଣ୍ଡପରେ ଶିବ, ଗଙ୍ଗାମାତା, ଜରତା, ଲେମପାଦ ରାଜ, ଦଶରଥ ରାଜା, ହନୁମାନ ଆଦି ବିଗ୍ରହ ସ୍ଥାନ ପାଇଛି। ଋଷ୍ୟଶୃଙ୍ଗଙ୍କର ପିତା ନୀଳକଣ୍ଠ ଦାସ, ମାତା ଝରଣା ଦାସ, ଶାନ୍ତାକୁମାରୀଙ୍କ ପିତା ବିଜୟ ପଣ୍ଡା, ମାତା ସୁଚିସ୍ମିତା ପଣ୍ଡା, କନ୍ୟାର ଭାଇ ଭାବରେ ପ୍ରିୟବ୍ରତ ଦାସ ଦାୟିତ୍ୱ ତୁଲାଇଥିଲେ। ପଣ୍ଡିତ ମୁକ୍ତିକାନ୍ତ କର, ଅମରେନ୍ଦ୍ର ଦୀକ୍ଷିତ ଓ ଦତ୍ତାତ୍ରେୟ କର ଯଜ୍ଞ କାର୍ଯ୍ୟ ଓ ବିବାହ ଉତ୍ସବ ତୁଲାଇଥିଲେ। ଅନୁଷ୍ଠାନ ସଭାପତି ନିତ୍ୟାନନ୍ଦ ଦାସ, ସମ୍ପାଦକ ଚନ୍ଦ୍ରକାନ୍ତ ପରିଡ଼ା ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ନିରାଡ଼ମ୍ବର ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।