ଋଷିକୁଲ୍ୟା ମୁହାଣରେ କଇଁଛଙ୍କ ମିଳନ ଆରମ୍ଭ

ଗଞ୍ଜାମ,୨୦-୧୧(ଡି.ଏନ.ଏ.):ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ନିକଟ ଋଷିକୁଲ୍ୟା ମୁହାଣରେ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଛି। ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇଥିବା ପରିବେଶବିତ୍‌ମାନେ କହିଛନ୍ତି। ମଙ୍ଗଳବାର ଖଲ୍ଲିକୋଟ ରେଞ୍ଜର ଦିଲୀପ ମାର୍ଥାଙ୍କ ନିର୍ଦ୍ଦେଶରେ ରମ୍ଭା ବନାଞ୍ଚଳ ଅଧିକାରୀ ସୋମନାଥ ମଲିକ କର୍ମଚାରୀଙ୍କ ସହ ସମୁଦ୍ରରେ ପାଟ୍ରୋଲିଂ କରୁଥିଲେ। ଉପକୂଳଠାରୁ ପ୍ରାୟ ୨୦ କିମି ଦୂରରେ ମାତ୍ର ୩ହଳ କଇଁଛଙ୍କ ମିଳନ ପ୍ରକ୍ରିୟା ଦେଖିବାକୁ ପାଇଥିଲେ। ଚଳିତମାସ ଶେଷ ଏବଂ ଡିସେମ୍ବରରେ ଦଳ ଦଳ କଇଁଛଙ୍କ ମିଳନ ଦେଖିବାକୁ ମିଳିବ ବୋଲି ରମ୍ଭା ବନାଞ୍ଚଳ ଅଧିକାରୀ ମଲିକ ସୂଚନା ଦେଇଛନ୍ତି। ପରେ ଅଣ୍ଡା ଦେବା ସମୟ ଆସିବାବେଳେ ଉକ୍ତ କଇଁଛମାନେ ଉପକୂଳଠାରୁ ମାତ୍ର ୫ କିମି ପରିଧି ମଧ୍ୟରେ ଦଳଦଳ କଇଁଚ ଭାସମାନ ଅବସ୍ଥାରେ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ଶୀତ ଆଗମନ ହେବାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ମଧ୍ୟ ସେ କହିଛନ୍ତି। ଅନୁକୂଳ ପାଗ ଓ ଦକ୍ଷିଣାପବନ ବୋହିଲେ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ। କଇଁଛଙ୍କ ମିଳନ ପ୍ରକ୍ରିୟା ଅବ୍ୟାହତ ରହିବା ଯାଏ ପାଟ୍ରୋଲିଂ ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ସମୁଦ୍ରରେ ପାଟ୍ରୋଲିଂ ପାଇଁ ଦୁଇଟି ସ୍କ୍ବାଡ ଗଠନ କରାଯାଇଛି ଏବଂ ହାଚେରୀ (କୃତ୍ରିମ ଉପାୟରେ ଅଣ୍ଡାରୁ ଛୁଆ ବାହାର କରିବା) ପାଇଁ ବ୍ୟବସ୍ଥା କରାଯାଇଛି। କଇଁଛଙ୍କ ସୁରକ୍ଷା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଜାନୁୟାରୀ ଶେଷ କିମ୍ବା ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଅଣ୍ଡାରୁ ଛୁଆ ବାହାରିବ ବୋଲି ବନ ବିଭାଗ ଆଶା ରଖିଛି।