କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କେନ୍ଦ୍ର ସରକାରଙ୍କ ସୋଲାର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ, ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ବଳ୍ପ ଖର୍ଚ୍ଚରେ ବିଦ୍ୟୁତ ସୁବିଧା ଯୋଗାଇ ଦେବା ପାଇଁ, ଘରକୁ ଘର ବୁଲି ଗ୍ରାହକମାନଙ୍କୁ ମତାଇ ହିତାଧିକାରୀଙ୍କ ନାମରେ ବ୍ୟାଙ୍କରୁ ଋଣ ନେଇ ବିଦ୍ୟୁତ ସଂଯୋଗ କରା ଯାଇ ନ ଥିବାରୁ ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଜଣେ ହିତାଧିକାରୀ କାମ୍ପା ଇନ୍ଫ୍ରା ସୋଲାର କୋମ୍ପାନୀ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।
ବାଲସି ଗ୍ରାମର କୌଶିକ ସାହୁଙ୍କ କହିବା ଅନୁଯାୟୀ, କମ୍ପାନୀ ପକ୍ଷରୁ ତାଙ୍କ ଘରେ ୩ କିଲୋୱାଟ ସୋଲାର ସିଷ୍ଟମ ଗତ ୨୦୨୫ ମସିହା ନଭେମ୍ବର ମାସରେ ସ୍ଥାପନ କରାଯାଇଥିଲା। ଏଥିପାଇଁ ସେ ୨ ଲକ୍ଷ ୧୦ ହଜାର ଟଙ୍କା କେସିଙ୍ଗା ଏସ ବି ଆଇରୁ ଋଣ ନେଇଛନ୍ତି। କିନ୍ତୁ ସୋଲାର ସିଷ୍ଟମ ଲାଗିବାର ପ୍ରାୟ ୯ ମାସ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ମିଳିନଥିବାରୁ ସେ ସୋଲାରର ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଏହା ସହ ଋଣର କିସ୍ତି ନିୟମିତ ଭାବେ ମାସକୁ ୨ହଜାର ଦୁଇ ଶହ ପରିଶୋଧ କରିବାକୁ ବାଧ୍ୟ ହେଉଥିବାରୁ ସେ ଆର୍ଥିକ ସଙ୍କଟରେ ପଡ଼ିଥିବା କହିଛନ୍ତି। ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ, କମ୍ପାନୀର ରିଲେସନଶିପ ମ୍ୟାନେଜର ହରେକୃଷ୍ଣ ସାହୁ ଓ ସୁପରଭାଇଜର ସୁନୀଲ ବାଲ ଘରକୁ ଘର ବୁଲି ସୋଲାର ଲଗାଇବା ପାଇଁ ପ୍ରଚାର କରିଥିଲେ। ସିଷ୍ଟମ ସ୍ଥାପନ ପରେ ବାରମ୍ବାର ଯୋଗାଯୋଗ କରିଲେ ମଧ୍ୟ ସେମାନେ ଫୋନ ରିସିଭ କରୁ ନାହାନ୍ତି। ସରକାରୀ ନିୟମ ଅନୁଯାୟୀ, ସୋଲାର ପ୍ୟାନେଲ, ଇନଭର୍ଟର ପରୀକ୍ଷା, ରିପୋର୍ଟ ଓ ଅନ୍ୟାନ୍ୟ ପ୍ରକ୍ରିୟା ୩ରୁ ୪ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ କରି ବିଦ୍ୟୁତ ସଂଯୋଗ ଦିଆଯିବା ପରେ ଅର୍ଥ ପ୍ରଦାନର ବ୍ୟବସ୍ଥା ରହିଛି। କିନ୍ତୁ ଏହି ଘଟଣାରେ ୯ ମାସ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ମିଳି ନ ଥିବାରୁ କେସିଙ୍ଗା ସ୍ଥିତ ଏସବି ଆଇ ବ୍ୟାଙ୍କ ମେନେଜରଙ୍କ ନିକଟରେ କୌଶିକ ସାହୁ ଅଭିଯୋଗ କରିଛନ୍ତି। ଯଦିଓ ଦୁଇ ତିନି ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ନ ଦେଲେ ବିଭାଗୀୟ ମେନେଜରଙ୍କ ନାମରେ ଥାନାରେ ଅଭିଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି।
ଏ ସଂକ୍ରାନ୍ତରେ ଉକ୍ତ କମ୍ପାନୀର ରିଲେଶନଶିପ ମ୍ୟାନେଜର ହରେକୃଷ୍ଣ ସାହୁଙ୍କୁ ପଚାରିବାରୁ ମୁଁ ଗୋଟିଏ ସପ୍ତାହ ମଧ୍ୟରେ ବିଦ୍ୟୁତ ସଂଯୋଗ କରିଦେବି ବୋଲି ପ୍ରକାଶ କରିଥିଲେ।

