ଉଲ୍ଲଂଘନକାରୀଙ୍କ ବିରୋଧରେ ଏତଲା

ବାରିପଦା ଅଫିସ/ଚିତ୍ରଡ଼ା, ୨୭ା୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପମାନ ନେଉଛନ୍ତି। କରୋନା ମୁକାବିଲାରେ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ଦେଇ ଆଗଧାଡ଼ିର ଯୋଦ୍ଧା ଭାବେ ଛିଡ଼ା କରାଇଛନ୍ତି। ମାତ୍ର କୋଭିଡ୍‌-୧୯ ନିୟମକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଏକ କୁକୁଡ଼ା ଚିଆଁ କମ୍ପାନୀ ବିରୋଧରେ ଜଣେ ସରପଞ୍ଚ ମୋରଡ଼ା ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଗୋଡ଼ିଗାଁ ପଞ୍ଚାୟତର ସରପଞ୍ଚ ଜଗନ୍ନାଥ ସରେନ ଏହି ଅଭିଯୋଗ କରିଛନ୍ତି। ସରପଞ୍ଚ ସରେନଙ୍କ ଅଭିଯୋଗ ଅନୁଯାୟୀ, ଶନିବାର ସନ୍ଧ୍ୟାରେ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ଥିବା ଏକ ଫାର୍ମରୁ ଏକ ଗାଡ଼ିରେ ୧୩୭୬୯ଟି କୁକୁଡ଼ା ଚିଆଁ ସରକାରଙ୍କ ବିନା ଅନୁମତିରେ ପଶ୍ଚିମବଙ୍ଗସ୍ଥିତ ବର୍ଦ୍ଧମାନ ସହରକୁ ଚାଲାଣ ହୋଇଥିଲା। ଲକ୍‌ ଡାଉନ ସମୟରେ ଉକ୍ତ ଗାଡ଼ିଟି ବାରମ୍ବାର ପଶ୍ଚିମବଙ୍ଗକୁ ଯାଉଥିବାରୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା କରି ସରପଞ୍ଚ ସରେନ ଥାନା ଅଧିକାରୀ କୁନି ବେଶ୍ରାଙ୍କୁ ଜଣାଇଥିଲେ। ମାତ୍ର ଥାନା ଅଧିକାରୀ ଯାଞ୍ଚ କରିବା ପରିବେର୍ତ୍ତ ଏ ନେଇ କୌଣସି ମାମଲା ରୁଜୁ ହେବ ନାହିଁ ବୋଲି କହିଥିବା ସରପଞ୍ଚ ଅଭିଯୋଗ କରିଛନ୍ତି। ଉକ୍ତ ଗାଡ଼ିଟି ବିଭିନ୍ନ ସମୟରେ ପଶ୍ଚିମବଙ୍ଗକୁ ଯାଉଥିବା ବେଳେ ଅଭିଯୋଗ ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସରପଞ୍ଚଙ୍କ କ୍ଷମତା ପ୍ରତି ଉପହାସ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି। ଏନେଇ ଥାନା ଅଧିକାରୀଙ୍କୁ ପଚାରିବାରୁ କୌଣସି ମମାଲା ରୁଜୁ କରି ପାରିବି ନାହିଁ ବୋଲି କହିଛନ୍ତି।