ଉପ ଶାସନ ସଚିବଙ୍କୁ ସିଧା ଫାଇଲ ଦେବେ ଏଏସ୍‌ଓ

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ସଚିବାଳୟରେ କାର୍ଯ୍ୟରତ ସହକାରୀ ଉପବିଭାଗ ଅଧିକାରୀ(ଏଏସ୍‌ଓ) ଫାଇଲ କାର୍ଯ୍ୟ ସମାପ୍ତ କରି ଉପବିଭାଗ ଅଧିକାରୀ(ଏସ୍‌ଓ) ଏବଂ ଡେସ୍କ ଅଫିସର(ଡିଓ)ଙ୍କୁ ଦାଖଲ କରିବେ ନାହିଁ। ଏଏସ୍‌ଓମାନେ ପାଇଥିବା କାର୍ଯ୍ୟକୁ ସ୍ବାଧୀନଭାବେ ଉପ/ଯୁଗ୍ମ/ଅତିରିକ୍ତ ସଚିବଙ୍କୁ ସିଧାସଳଖ ଦେବେ। ସେହିପରି ବିଭିନ୍ନ ଯୋଜନା ଓ ପ୍ରକଳ୍ପ ସମ୍ପର୍କିତ ସ୍ବତନ୍ତ୍ର ଦାୟିତ୍ୱ ମଧ୍ୟ ଏଏସ୍‌ଓଙ୍କୁ ପ୍ରଦାନ କରାଯିବ। ଏସମ୍ପର୍କରେ ଏକ ଚିଠି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ପକ୍ଷରୁ ସମସ୍ତ ବିଭାଗୀୟ ସଚିବମାନଙ୍କୁ ଲେଖାଯାଇଛି। ସେହିପରି ଏଏସ୍‌ଓମାନେ ନିୟମିତ ବ୍ୟବଧାନରେ ବିଭାଗୀୟ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ କ୍ଷେତ୍ର ପରିଦର୍ଶନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନରଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ ପ୍ରକଳ୍ପ ସମ୍ପର୍କିତ ପାୱାରପଏଣ୍ଟ ପ୍ରେଜେଣ୍ଟଟେସନ୍‌(ପିପିଟି) ପ୍ରସ୍ତୁତିରେ ମଧ୍ୟ ଏଏସ୍‌ଓମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯାଇଛି। ଅନୁରୂପଭାବେ ଏଏସ୍‌ଓମାନେ ବିଭିନ୍ନ ବିଭାଗରେ ଥିବା ପ୍ରକଳ୍ପ ପରିଚାଳନା ୟୁନିଟ୍‌(ପିଏମ୍‌ୟୁ) କାର୍ଯ୍ୟାବଳୀରେ ନିଜକୁ ସାମିଲ କରି ଜ୍ଞାନାର୍ଜନ ଉପରେ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଦିଆଯାଇଥିବା ଏହି ନିର୍ଦ୍ଦେଶ ସମ୍ପୂର୍ଣ୍ଣ ନୁହେଁ, ବିଭାଗ ନିଜସ୍ବ ଭାବେ ମଧ୍ୟ ଦାୟିତ୍ୱ ଦେଇପାରିବ। ପରବର୍ତ୍ତୀ ସଚିବସ୍ତରୀୟ ବୈଠକରେ ଏନେଇ ବିସ୍ତୁତ ଆଲୋଚନା ହେବ ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ନବ ନିଯୁକ୍ତ ଏବଂ କାର୍ଯ୍ୟରତ ଏଏସ୍‌ଓମାନଙ୍କ ସହ ଭାବ ବିନିମୟ କରିଥିଲେ। ଏହି ସମୟରେ ନବ ନିଯୁକ୍ତ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଅଧିକ ଯାନ୍ତ୍ରିକ ହେବା ଦୃଷ୍ଟିକୁ ଆସିଛି। ବିଶେଷଭାବେ ମୁଖ୍ୟ ଶାସନ ସଚିବ କଥା ହୋଇଥିବା ୬୧ ଏଏସ୍‌ଓଙ୍କୁ ପ୍ରଶାସନିକ କାର୍ଯ୍ୟଧାରାରେ ପୂର୍ଣ୍ଣାଙ୍ଗ ଉପଯୋଗ କରାଯାଇ ନ ଥିବା ଅନୁଭବ କରାଯାଇଥିଲା। ତେଣୁ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ଉପରୋକ୍ତ ପଦକ୍ଷେପ ନେଇ ନିର୍ଦ୍ଦେଶ ଦିଆଯାଇଛି।