Categories: ବାଣିଜ୍ୟ

ଉପୁଜିପାରେ ମାନ୍ଦାବସ୍ଥା ସ୍ଥିତି

ନୂଆଦିଲ୍ଲୀ,୨୫।୫: କରୋନା ଭୂତାଣୁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାର ଗତିକୁ ରୋକି ଦେଇଛି। ଭୂତାଣୁ ନିୟନ୍ତ୍ରଣ କରିବା ଲାଗି ହୋଇଥିବା ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ବନ୍ଦ ହୋଇପଡିଛି। ଏହାର ପ୍ରଭାବ ଭାରତ ଉପରେ ପଡ଼ିଛି। ଭାରତ ବଜାର ଜଟିଳ ହେଉଥିବା ବଜାର ବିଶେଷଜ୍ଞ ଆଶଙ୍କା କରିଛନ୍ତି। ଭାରତ ବଜାର ଲାଗି ମାନ୍ଦାବସ୍ଥା ମାଡି ଆସୁଥିବା ଆଶଙ୍କା କରାଯାଇଛି। ଚଳିତ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସରେ ଭାରତ ମାନ୍ଦାବସ୍ଥାକୁ ଯାଇପାରେ। ଡନ୍‌ ଆଣ୍ଡ ବ୍ରାଡ୍‌ଷ୍ଟ୍ରିଟ ପକ୍ଷରୁ ହୋଇଥିବା ଆର୍ଥତ୍କ ସମୀକ୍ଷାରେ ଏଭଳି ପୂର୍ବାନୁମାନ କରାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ, ବର୍ତ୍ତମାନ ଲୋକଙ୍କ ଆୟ କମିଛି। କରୋନା ପାଇଁ କଳକାରଖାନା ବନ୍ଦ ରହିବାରୁ ଅନେକ ଲୋକ ନିଯୁକ୍ତି ହରାଇଛନ୍ତି। ବୃହତ୍‌ ପରିମାଣର ଛଟେଇ ସାମ୍ନାକୁ ଆସିଛି। ବଜାର ଅବସ୍ଥା ବିଗିଡି ରହିଥିବାରୁ ଉପଭୋକ୍ତାମାନେ ପୂର୍ବ ତୁଳନାରେ ବର୍ତ୍ତମାନ ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି। ବଜାରର ଏଭଳି ସ୍ଥିତି ଅଧିକ ସମୟ ଧରି ଲାଗି ରହିବ। ଖାଉଟି ଚାହିଦାରେ ସୁଧାର ଆସିବାକୁ ବହୁତ ସମୟ ଲାଗିବ। କରୋନା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। କେତେ ଶୀଘ୍ର ଏହା କାର୍ଯ୍ୟକାରୀ ହେଉଛି ତାହା ମଧ୍ୟ ଦେଖିବାକୁ ହେବ। ଏଭଳି ପ୍ରସଙ୍ଗଗୁଡିକ ବଜାରର ସ୍ଥିତିରେ ସୁଧାର ଆଣିବା ଦିଗରେ ଯୋଗଦାନ ରଖିବ ବୋଲି ଏଥିରେ କୁହାଯାଇଛି। ଅର୍ଥାତ୍‌ ମୋଟାମୋଟି ଭାବେ କହିବାକୁ ଗଲେ ଆଶ୍ୱସ୍ତି ପ୍ୟାକେଜ ବଜାର ଉପରେ କ’ଣ ପ୍ରଭାବ ପକାଉଛି ତାହା ଗୁରୁତ୍ୱପୂର୍ଣ୍ଣ।
ଡନ୍‌ ଆଣ୍ଡ ବ୍ରାଡ୍‌ଷ୍ଟ୍ରିଟ୍‌ ଇଣ୍ଡିଆର ମୁଖ୍ୟ ଅର୍ଥନୀତିଜ୍ଞ ଅରୁଣ ସିଂ କହିଛନ୍ତି ଯେ, ଭାରତ ପାଇଁ ଆସିଥିବା ପ୍ରୋତ୍ସାହନ ପ୍ୟାକେଜ ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ନିର୍ଭରକରେ। ଲକ୍‌ଡାଉନ ହଟାଇବା ଅବଧି, ପ୍ୟାକେଜର କାର୍ଯ୍ୟାନ୍ବୟନ କ୍ଷମତା ଏବଂ ଏଥିରେ ଲାଗୁଥିବା ସମୟ ପ୍ରମୁଖ ଭୂମିକା ଗ୍ରହଣ କରିବ। ରିପୋର୍ଟରେ କୁହାଯାଇଛି ଯେ, ପ୍ୟାକେଜରେ ସରକାର କରିଥିବା ଘୋଷଣା ଦ୍ୱାରା ଭାରତରେ ଆର୍ଥତ୍କ କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ କରିବା ଲାଗି ସହାୟକ ହେବ। ସେହିଭଳି ରିଜର୍ଭ ବ୍ୟାଙ୍କର ରେପୋ ହ୍ରାସ ମୋରାଟୋରିୟମ ସମୟ ବୃଦ୍ଧି ଅର୍ଥ ବ୍ୟବସ୍ଥା ଲାଗି ଲାଭକାରୀ ହେବ। ସିଂ କହିଛନ୍ତି, ସରକାରଙ୍କ ବିଭିନ୍ନ ଘୋଷଣା ସକାରାତ୍ମକ । ହେଲେ ଭାରତ ବଜାର ଲାଗି ଚାହିଦା ବଢ଼ାଇବାର ବିଶେଷ ଆବଶ୍ୟକତା ରହିଛି।

Share