ଉପାୟ ନାହିଁ

କୃଷି ପ୍ରଧାନ ବୌଦ୍ଧ ଜିଲାରେ ଲୋକଙ୍କ ମୁଖ୍ୟ ଆୟ ପନ୍ଥା ହେଲା ଧାନଚାଷ। ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି ସୁନାର ଫସଲ ଅମଳ ପାଇଁ ବର୍ଷସାରା ଜମିରେ ଲାଗିଥାଏ। ଫସଲ ଅମଳ ପରେ ବର୍ଷସାରା ପରିବାର ପୋଷଣ ପାଇଁ ଧାନ ରଖି ବଳକା ଧାନ ବିକ୍ରି କରିଥାଏ। ମାତ୍ର ଅକ୍ଳାନ୍ତ ପରିଶ୍ରମ କରି ଚାଷୀ କ୍ଷେତରେ ଫଳାଇଥିବା ଫସଲକୁ ପ୍ରାକୃତିକ ବିପର୍ଯ୍ୟୟ ନଷ୍ଟ କରିଦେଉଛି। ଚଳିତ ବର୍ଷ ବୌଦ୍ଧ ଜିଲାରେ କୌଣସି ପ୍ରକାର ରୋଗ ପୋକ ହୋଇ ନ ଥିଲା। ବର୍ଷା ମଧ୍ୟ ଭଲ ହୋଇଥିଲା। ସବୁଜ କ୍ଷେତରେ ହସି ଉଠିଥିଲା ସୁନାର ଫସଲ। ଧାନ ଅମଳ କରି ତାକୁ ମଣ୍ଡିରେ ବିକ୍ରି ପାଇଁ ରଖିଥିଲା ଚାଷୀ। କିନ୍ତୁ ଗତ ଅଦିନିଆ ବର୍ଷା ଚାଷୀର ସ୍ବପ୍ନକୁ ଭାଙ୍ଗିଦେଲା। ହଠାତ ବର୍ଷା ହେବାରୁ ହଜାର ହଜାର କୁଇଣ୍ଟାଲ ଧାନ ବର୍ଷା ପାଣିରେ ଭିଜିଗଲା। ଚାହୁଁ ଚାହୁଁ ଗଜା ହୋଇଗଲା ଧାନ। ଘରପୋଡ଼ିରୁ କୁଟାଖିଏ ଉଦ୍ଧାର ସଦୃଶ ବର୍ଷା ପରେ ସଂଗୃହୀତ ବେରଙ୍ଗୀ ଧାନକୁ ଏବେ କିଣିବ କିଏ? ଏହି ଧାନକୁ ନେଇ ଚାଷୀ ବା କରିବ କ’ଣ? ଚଳିତ ବର୍ଷ ସରକାରଙ୍କ ଟୋକନ ବ୍ୟବସ୍ଥା ଯୋଗୁ ଚାଷୀ ଧାନ ଠିକ୍‌ ଭାବେ ମଣ୍ଡିରେ ବିକ୍ରି କରି ପାରିନାହିଁ। ମଣ୍ଡିରେ ପଡ଼ିଥିବା ସବୁ ଧାନକୁ ଅଦିନିଆ ବର୍ଷା ନଷ୍ଟ କରିିଦେଇଛି। ଏହାସହ ପନିପରିବା ଓ ଡାଲିଜାତୀୟ ଶସ୍ୟ ଯଥା ମୁଗ, ବିରି, କୋଳଥ ଓ ହରଡ଼ ଆଦି ଗଛଗୁଡ଼ିକରେ ଫୁଲ ଧରି ଅମଳ ହେବାକୁ ଯାଉଥିବା ବେଳେ ଏସବୁ ମଧ୍ୟ ନଷ୍ଟ ହୋଇଯାଇଛି। କ୍ଷତି ହୋଇଥିବା ଫସଲର ଆକଳନ କରି ଜିଲା ପ୍ରଶାସନ ଚାଷୀଙ୍କ କ୍ଷତିକୁ ଭରଣା କରିପାରିଲେ ସେମାନେ ନିଶ୍ଚୟ ଉପକୃତ ହେବେ। ଯଦି ଏଭଳି ନ ହୁଏ, ତେବେ ଚାଷୀ ନିଜର କର୍ମକୁ ଆଦରି ରହିବା ଛଡ଼ା ଆଉ କିଛି ଉପାୟ ନାହିଁ।
– ଅଜିତ କୁମାର ବାରିକ