ଉପନିର୍ଦ୍ଦେଶକ, ପ୍ରାଣୀଧନ ନିରୀକ୍ଷକ ପଦ ଖାଲି

ସୋନପୁର,୧୨।୧୧(ନି.ପ୍ର.)
କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ଅଧିବାସୀଙ୍କ ଦ୍ୱିତୀୟ ମୁଖ୍ୟ ଜୀବିକା ପ୍ରାଣୀ ସମ୍ପଦ ପାଳନ। ସଂଖ୍ୟାଧିକ ଲୋକ ଗାଇ, ବଳଦ, ମଇଁଷି, ମେଣ୍ଡା, ଛେଳି ଓ କୁକୁଡା ଆଦି ପାଳନ କରି ଏବଂ ସେଗୁଡିକୁ ଆବଶ୍ୟକ ସ୍ଥଳେ ବିକ୍ରି କରି ଗୁଜୁରାଣ ମେଣ୍ଟାଇ ଥାନ୍ତି । ତେବେ ଜିଲାରେ ଏ ଯାଏଁ ପ୍ରାଣୀ ସମ୍ପଦ ବିଭାଗର ଆଖିଦୃଶିଆ ବିକାଶ ହୋଇପାରି ନାହିଁ। ଖୋଦ୍‌ ଜିଲା ସଦର ମହକୁମାରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଲାଗି କରି ଥିବା ସୁବର୍ଣ୍ଣପୁର ପ୍ରାଣୀ ଚିକିତ୍ସାଳୟ ଥାଇ ନଥିବା ଭଳି । ଏଠାରେ ଉପନିର୍ଦ୍ଦେଶକଙ୍କ ସମେତ ପ୍ରାଣୀଧନ ନିରୀକ୍ଷକ, ପିଅନ ଓ ଚୌକିଦାର ପଦବି ଖାଲି ପଡିଛି। ଜଣେ ମାତ୍ର ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡାକ୍ତର ସିପ୍ରାରାଣୀ ମହାପାତ୍ରଙ୍କ ଭରସାରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ। ସେ ପୁଣି ଇନ୍‌ଚାର୍ଜ ଉପ ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି। ଏହି ଚିକିତ୍ସାଳୟ ସକାଳ ୮ଟାରୁ ୧୨ଟା ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରୁହେ। ସୁବର୍ଣ୍ଣପୁର ସହର, ସୋନପୁର ବ୍ଲକର ଆଖପାଖ ପଞ୍ଚାୟତ ସମେତ ବୌଦ୍ଧ ଜିଲାର ଦହ୍ୟା, ମନମୁଣ୍ଡା ଓ ଖଟଖଟିଆ ଅଞ୍ଚଳରୁ ଗୋପାଳକ ଡାକ୍ତରଙ୍କ ପରାମର୍ଶ ପାଇଁ ଏଠାକୁ ଆସନ୍ତି। ପଶୁ, ପକ୍ଷୀଙ୍କ ମଳ ଓ କ୍ଷୀର ଆଦି ଏଠାରେ ପରୀକ୍ଷା କରାଯାଏ। ତା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ, ଋଣ ପ୍ରଦାନ ଓ ବୀମା ସେଟେଲମେଣ୍ଟ କରାଯାଏ। କୌଣସି ଜରୁରି କାଳୀନ ଘଟଣାରେ ଡାକ୍ତରଙ୍କୁ ଅସମୟରେ ମଧ୍ୟ ଯିବାକୁ ପଡେ। ଏଭଳି ସ୍ଥିତିରେ ଅନ୍ୟ କର୍ମଚାରୀ ନ ଥିବାରୁ ଡାକ୍ତର ବାହାରକୁ ମଟିଂରେ ଗଲେ କିମ୍ବା ଛୁଟିରେ ରହିଲେ ଏହି ଚିକିତ୍ସାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ସେହିଭଳି ପିଅନ, ଝାଡୁଦାର ନ ଥିବାରୁ ପରିସର ସଫାସୁତୁରା ରହୁନି। ଏ ସମ୍ପର୍କରେ ଡାକ୍ତର ମହାପାତ୍ର କୁହନ୍ତି, ମୋତେ ଏକୁଟିଆ ସମସ୍ତ କାର୍ଯ୍ୟ କରିବାକୁ ପଡୁଛି। ସହଯୋଗୀ ନ ଥିବାରୁ ବହୁ ଅସୁବିଧା ହେଉଛି । ବାହାରକୁ କୌଣସି କାର୍ଯ୍ୟରେ ଗଲେ ଚିକିତ୍ସାଳୟରେ ତାଲା ପକାଇବାକୁ ପଡୁଛି। ପଦବୀଗୁଡିକୁ ପୂରଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ କହିଛନ୍ତି ।