କୋକସରା,୧୫।୯(ଡି.ଏନ.ଏ.):କଳାହାଣ୍ଡି ଜିଲା ଧର୍ମଗଡ ଉପଖଣ୍ଡୀୟ ପେନସନ ଭୋଗୀ କଳାକାର ମହାସଂଘର ନୂଅଁାଖାଇ ଭେଟଘାଟ କାର୍ଯ୍ୟକ୍ରମ କୋକସରା ବ୍ଲକ ମୋଟେର ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । କଳାକାର ସଂଘ ଜିଲା ସଭାପତି ପ୍ରଦୀପ ଧଙ୍ଗଡାମାଝି ମୁଖ୍ୟଅତିଥି ଏବଂ ମୁଖ୍ୟବକ୍ତା ଭାବେ ଘୁମୁରାର ଗୁରୁ ତୀର୍ଥରାଜ ଦଳପତି ଯୋଗଦେଇ ରାଜ୍ୟ ସରକାର କଳାକାରମାନଙ୍କୁ ପେନସନ ଲାଗୁ କରିଛନ୍ତି । ତେବେ ଆଜି ମଧ୍ୟ ଅନେକ କଳାକାର ପେନସନ ନ ପାଇ ଦୁଃସ୍ଥ ଜୀବନଯାପନ କରୁଛନ୍ତି। ଏଣୁ ସଂଘ ଦ୍ୱାରା ସେମାନଙ୍କୁ ଥଇଥାନ ଓ କଳାକାର ଭତ୍ତା ଯୋଜନାରେ ସାମିଲ କରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଥିଲେ। କଳାହାଣ୍ଡି ଜିଲା ହେଉଛି କଳାର ଏନ୍ତୁଡିଶାଳ। ଏଠି କଳା କିମ୍ବା କଳାକାରର ଅଭାବ ନାହିଁ । କଳାହାଣ୍ଡିର ବୀରବାଦ୍ୟ ଘୁମୁରା ହେଉ ଅବା ଢାପ ବାଜା ଆଜି ବିଶ୍ୱ ଦରବାରରେ ନିଜର କଳାର ପ୍ରଦର୍ଶନ କରି ସମ୍ମାନିତ ହୋଇଥିବାବେଳେ କଳାହାଣ୍ଡିର ଅନେକ ଲୋକକଳା ଯାହା କି ଆଜି ଲୋପ ପାଇବାକୁ ବସିଲାଣି । ତାହାର ପୁନରୁଦ୍ଧାର କରିବା ସହ କଳାହାଣ୍ଡିର କଳା ଓ ଗାରିମାମୟ ଗୌରବକୁ ଦେଶବିଦେଶରେ ପହଞ୍ଚାଇବା ପାଇଁ ସଂଘ ଉଦ୍ୟମ ଜାରି ରଖିବ ବୋଲି ଉପସ୍ଥିତ ବକ୍ତାମାନେ ମତ ରଖିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଜିଲା କଳାକାର ସଂଘ ଉପସଭାପତି ମହେଶ୍ୱର ସରାଫ, ସହସମ୍ପାଦକ ଶୋଭାବନ ଭାଟି, ନାଟ୍ୟଗୁରୁ ଚିନ୍ତାମଣୀ ପଟେଲ, ବିଜୟ ପ୍ରଧାନୀ, ଦାଶରଥି ସରାଫ, ନାସିର ଖାନ, ହୀରାଲାଲ ସରାଫ ପ୍ରମୁଖ ମଞ୍ଚାସୀନ ଅତିଥି ରୂପେ ଯୋଗଦେଇଥିଲେ। ମନମୋହନ ଦାସ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ସଭାରେ ଜୟପାଟଣା, କଲମପୁର ଓ କୋକସରା ବ୍ଲକର ଶତାଧିକ ପେନସନଭୋଗୀ କଳାକାରମାନେ ଯୋଗଦେଇଥିଲେ ।


