ଉପକୃତ ହେବେ ପଟାଖମଣ, ବଣସିଂହ ଗ୍ରାମବାସୀ: ଖୁବ୍‌ଶୀଘ୍ର ଟିକିରା ନଦୀରେ ସେତୁ

କଣିହାଁ,୨୦।୧୧(ଡି.ଏନ.ଏ.)-ଖୁବ୍‌ଶୀଘ୍ର ଦୂର ହେବ କଣିହାଁ ବ୍ଲକ ପଟାଖମଣ ଓ ବଣସିଂହ ଗ୍ରାମବାସଙ୍କ ସମସ୍ୟା। ଟିକରା ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଏବେ ପ୍ରସ୍ତୁତି ପ୍ରକ୍ରିୟା ଚାଲିଥିବା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି।
ପ୍ରକାଶ ଯେ, କଣିହାଁ ବ୍ଲକ ମହକୁମାଠାରୁ ମାତ୍ର ୧ କିମି ଦୂରତାରେ ଥିଲେ ବି ପଟାଖମଣ ଓ ବଣସିଂହ ଗ୍ରାମବାସୀ ଟିକରା ନଦୀ ଯୋଗୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ବର୍ଷା ଋତୁରେ ଉକ୍ତ ୨ ଗ୍ରାମର ଛାତ୍ରୀଛାତ୍ର ଅନେକ ସମୟରେ କଣିହାଁ ହାଇସ୍କୁଲ ଓ କଲେଜକୁ ଆସିପାରୁ ନାହାନ୍ତି। ସମଲ ବ୍ୟାରେଜ ପାଣି ଯୋଗୁ ଗ୍ରୀଷ୍ମଋତୁରେ ମଧ୍ୟ ଉକ୍ତ ଗ୍ରାମବାସୀ ବ୍ଲକ ସଦରମହକୁମାକୁ ଯାତାୟାତ କରିବାରେ ସମସ୍ୟା ଭୋଗିଥାନ୍ତି। ଏପରି କି ହନୁମାନପୁର ପଞ୍ଚାୟତ ଦେଇ ଏହି ଦୁଇ ଗ୍ରାମବାସୀଙ୍କୁ କଣିହଁା ଆସିବାକୁ ୨୦ କିମି ଅଧିକ ବୁଲିବାକୁ ହୋଇଥାଏ। ଏ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ସହ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ପ୍ରଶାସନ, ବିଧାୟକ, ଏମ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଗ୍ରାମବାସୀଙ୍କ ଏହି ଅସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନଦୀ ଉପରେ ସେତୁ ନର୍ମାଣ ଯୋଜନା କରାଯାଉଛି। କଣିହାଁ ବିଡିଓ ରମେଶ କୁମାର ଜେନା କହିଛନ୍ତି, ଖୁବ୍‌ଶୀଘ୍ର ଅଞ୍ଚଳବାସୀଙ୍କ ସମସ୍ୟା ହଟିବ। ପୋଲ ନିର୍ମାଣ ପାଇଁ ପ୍ରଶାସନିକସ୍ତରରେ ନିଷ୍ପତ୍ତି ନିଆଯାଇଛି। ଜିଲା ଖଣିଜ ପାଣ୍ଠିରୁ ଏଥିପାଇଁ ଅର୍ଥ ବ୍ୟୟ କରାଯିବ। ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ୧୪ କୋଟି ୬୭ ଲକ୍ଷ ୭୫ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଛି। ଟେଣ୍ଡର ପ୍ରକ୍ରିୟା ସରିବା ପରେ ୨୦୨୦ ଫେବୃଆରୀରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଏମ୍‌ପିଙ୍କ ପ୍ରତିନିଧି ସୁନୀଲ ପ୍ରଧାନଙ୍କ ସହ ବିଧାୟକଙ୍କ ସହଯୋଗୀ ଈଶ୍ୱର ସାହୁ ମଧ୍ୟ ସୂଚନା ଦେଇଛନ୍ତି।