ଉପକୂଳ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୪।୮(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ଜଗତ୍‌ସିଂହପୁର, ପୁରୀ, ସୁନ୍ଦରଗଡ ଏବଂ ସମ୍ବଲପୁର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ କେନ୍ଦ୍ରାପଡା, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୋଳ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ଝାରସୁଗୁଡା ଏବଂ ଦେବଗଡ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୭ ତାରିଖ ଯାଏ ଘୂର୍ଣ୍ଣିବଳୟ ଯୋଗୁ କାଁ ଭାଁ ବର୍ଷା ଲାଗିରହିବ। ତେବେ ଆସନ୍ତା ୨୮ ତାରିଖ ବେଳକୁ ଓଡିଶା ଉପକୂଳରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି।
ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ଚାନ୍ଦବାଲିରେ ସର୍ବାଧିକ ୫୭.୨ ପ୍ରତିଶତ ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ୫୪,ସମ୍ବଲପୁର ୪୭, ଝାରସୁଗୁଡା ୨୪, ପୁରୀ ୧୭, ଗୋପାଳପୁର ୧୬.୩, ବାରିପଦା ୧୯, କେନ୍ଦୁଝର ୧୪.୫ ଏବଂ ତାଳଚେରରେ ୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ସକଳା ୯ଟାରୁ ୧୨ଟା ଯାଏ ପ୍ରବଳ ବର୍ଷା ହୋଇଥିଲା। ଏଥିଯୋଗୁ ସହରର ବିଭିନ୍ନ ଅଞ୍ଚଳରେ ପାଣି ଲହଡି ମାରିଥିଲା। ଜଳ ନିଷ୍କାସନ ଡ୍ରେନଗୁଡିକୁ ଅବରୋଧ କରାଯିବାରୁ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ନୂଆପଲ୍ଲୀ ଇସ୍କନ ମନ୍ଦିର ନିକଟରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରିବାରୁ ଦୀର୍ଘ ସମୟ ଧରି ପାଣି ଜମା ହୋଇରହିଥିଲା। ଫଳରେ ଯିବା ଆସିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ସେହିପରି ବେହେରାସାହି, ଶାସ୍ତ୍ରୀ ନଗର, ଆଚାର୍ଯ୍ୟ ବିହାର, ସତ୍ୟବିହାର, ମଞ୍ଚେଶ୍ୱର, ସମେଇ ଗାଡିଆ, କଟକ-ପୁରୀ ରୋଡ ଓ ଅନ୍ୟାନ୍ୟ ଖାଲୁଆ ଅଞ୍ଚଳରେ ପାଣି ଜମି ରହିଥିଲା। ରାଜ୍ୟରେ ଜୁନ ପହିଲାରୁ ଅଗଷ୍ଟ ୨୩ ତାରିଖ ମଧ୍ୟରେ ମୌସୁମୀ ବର୍ଷା ସ୍ବାଭାବିକ ରହିଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଏହି ସମୟରେ ୮୪୭.୩ ମିଲିମିଟର ବର୍ଷା ହେବା ସ୍ଥଳେ ହୋଇଛି ୮୧୨ ମିଲିମିଟର। ଏହା ସତ୍ତ୍ୱେ ଦେବଗଡ଼ ଜିଲାରେ ୩୩ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ଅନୁଗୋଳ ୨୫, ବାଲେଶ୍ୱର ୩୨ ଏବଂ ଗଜପତିରେ ୨୯ ପ୍ରତିଶତ କମ୍‌ ବର୍ଷା ହୋଇଛି।