ଉଦୟକଣି ଗ୍ରାମ ନିକଟରେ ପୁଣି କୂଳ ଲଙ୍ଘିଲା ଅଶାନ୍ତ ସମୁଦ୍ର: ଚାଷଜମିରେ ମାଡ଼ିଗଲା ଲୁଣାଜୁଆର, ଗ୍ରାମବାସୀ ଆତଙ୍କିତ

କାକଟପୁର,୩୦।୧୦(ଡି.ଏନ୍‌.ଏ.): ପୁଣି ଥରେ ଅସ୍ତରଙ୍ଗ ଉପକୂଳ ଉଦୟକଣି ଗ୍ରାମଠାରେ କୂଳ ଲଙ୍ଘିଛି ଅଶାନ୍ତ ସମୁଦ୍ର। ମେଲା ପଡ଼ିଥିବା ବେଳାଭୂମି ଦେଇ ବୁଧବାର ଲୁଣା ଜୁଆର ସ୍ଥଳଭାଗକୁ ମାଡ଼ି ଚାଲିଛି। ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତର ଉଦୟକଣି, ଛେନୁ, ତଣ୍ଡାହାର, କଟକଣା, ବାଘଡ଼ିହା ଗ୍ରାମର ଚାଷଜମିରେ ଲୁଣାଜୁଆର ପ୍ରବେଶ କରିଛି। ଲଘୁଚାପ ନ ଥିବା ବେଳେ ହଠାତ୍‌ ସମୁଦ୍ର ଅଶାନ୍ତ ହୋଇପଡ଼ିବା କାରଣକୁ ନେଇ ଏସବୁ ଗ୍ରାମର ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

ସୂଚନାଯୋଗ୍ୟ, ଗତ ଜୁଲାଇ ୨ ତାରିଖରେ ମଧ୍ୟ ଉକ୍ତ ସ୍ଥାନରେ ସମୁଦ୍ର କୂଳଲଙ୍ଘି ସ୍ଥଳଭାଗମୁହାଁ ହୋଇଥିଲା। ଏଣୁ ଏଠାରେ କାହିଁକି ବାରମ୍ବାର ସମୁଦ୍ର କୂଳ ଲଙ୍ଘୁଛି ସେ ନେଇ ଅନୁଧ୍ୟାନ କରିବାକୁ ଜଳସେଚନ ବିଭାଗର ଏକ ବୈଷୟିକ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିଥିଲା। ଏଠାରେ ଥିବା ଝାଉଁଜଙ୍ଗଲ ଏବଂ ପ୍ରାକୃତିକ ବାଲିସ୍ତୁପ ଧ୍ୱଂସପାଇଯାଇଥିବାରୁ ସମୁଦ୍ର ଅଶାନ୍ତ ହେଲେ ଲୁଣା ଜୁଆର ସ୍ଥଳଭାଗକୁ ପ୍ରବେଶ କରୁଛି ବୋଲି କାକଟପୁର ଜଳସମ୍ପଦ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ବିଶ୍ୱାଳ ପ୍ରକାଶ କରିଥିବା ବେଳେ ବନବିଭାଗ ପକ୍ଷରୁ ଏଠାରେ କିଆବାଡ଼ ନିର୍ମାଣ ଆରମ୍ଭ ହୋଇଛି। ଏଥିସହ ପ୍ରାକୃତିକ ବାଲିସ୍ତୁପ ନିର୍ମାଣ ପାଇଁ ଯୋଜନା କରାଯାଇଛି ବୋଲି କହଛନ୍ତି। ତେବେ ସରକାର ତୁରନ୍ତ ଏ ଦିଗରେ ସ୍ଥାୟୀ ପ୍ରତିକାର ଗ୍ରହଣ ନ କଲେ ଉକ୍ତ ପାଞ୍ଚଟି ଗ୍ରାମ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ଛେନୁ ଗ୍ରାମର ବାପି ପ୍ରଧାନ, ଉଦୟକଣି ଗ୍ରାମର ଭଗବାନ ବେହେରା, ତଣ୍ଡାହାର ଗ୍ରାମର ସୁବାସ ପ୍ରଧାନ ଆଦି ପ୍ରତିକ୍ରିୟାରେ କହିଛନ୍ତି।