ଉଦାହରଣ: ସରକାରୀ ଡାକ୍ତରଖାନାରେ ସ୍ତ୍ରୀଙ୍କ ପ୍ରସବ କରାଇଲେ ମାଲକାନଗିରି ଜିଲାପାଳ

ମାଲକାନଗିରି,୧୪।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଡାକ୍ତରଖାନାରେ ବିଭିନ୍ନ ସମୟରେ ରୋଗୀମାନଙ୍କ ଚିକିତ୍ସାରେ ଅବହେଳା ଓ ଟିକ୍‌ଟକ୍‌ ଭିଡିଓକୁ ନେଇ ମାଲକାନଗିରି ଜିଲା ଚର୍ଚ୍ଚା ହୋଇ ଆସୁଥିବାବେଳେ ଏବେ ଡାକ୍ତରଖାନା ଓ ଡାକ୍ତରଙ୍କ ପ୍ରତି ବିଶ୍ୱାସ ଜନ୍ମାଇବା ପାଇଁ ଜିଲାପାଳ ମନୀଷ ଅଗ୍ରଓ୍ବାଲ ପ୍ରୟାସ କରିଛନ୍ତି। ସେ ନିଜର ପ୍ରଥମ ଶିଶୁପୁତ୍ରର ଜନ୍ମ ଜିଲା ମୁଖ୍ୟ ଚିକିତ୍ସାଳୟରେ କରାଇଛନ୍ତି। ସରକାରୀ ଡାକ୍ତରଖାନାରେ ନିଜ ସ୍ତ୍ରୀଙ୍କୁ ପ୍ରସବ କରାଇ ଅଗ୍ରଓ୍ବାଲ ସରକାରୀ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ ନେଇ ବାର୍ତ୍ତା ଦେଇଛନ୍ତି। ମାଲକାନଗିରି ଜିଲାପାଳ ଭାବେ ଅଗ୍ରଓ୍ବାଲ ଗତ ଦେଢ ବର୍ଷ ଧରି ଦାୟିତ୍ୱ ତୁଲାଇ ଆସୁଛନ୍ତି। ଗର୍ଭାବସ୍ଥା ଆରମ୍ଭରୁ ପ୍ରସବ ଯାଏ ସମସ୍ତ ପ୍ରକ୍ରିୟା ସରକାରୀ ବିଧି ବ୍ୟବସ୍ଥା ଭିତରେ ଅଗ୍ରଓ୍ବାଲ ଦମ୍ପତି ତୁଲାଇ ଆସୁଥିଲେ। ରଥଯାତ୍ରା ଦିନ ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ଦ୍ୱାରା ତାଙ୍କର ଶିଶୁପୁତ୍ର ଜନ୍ମ ହୋଇଥିଲା। ଅସ୍ତ୍ରୋପଚାର ପରେ ଜନ୍ମିତ ଶିଶୁ ଓ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଅବିଭକ୍ତ କୋରାପୁଟ ଜିଲାରେ ଆର୍ଥତ୍କ ସମ୍ବଳ ଭଲ ଥିବା ଲୋକ ଏବଂ ଉଚ୍ଚପଦସ୍ଥ ଅଧିକାରୀମାନେ ସାଧାରଣତଃ ସ୍ବାସ୍ଥ୍ୟସେବା ଲାଗି ବିଶାଖାପାଟଣା, ବ୍ରହ୍ମପୁର, କଟକ, ହାଇଦ୍ରାବାଦସ୍ଥିତ ଘରୋଇ ଡାକ୍ତରଖାନାକୁ ପସନ୍ଦ କରୁଥିବାବେଳେ ମାଲକାନଗିରି ଜିଲାପାଳ ଅଗ୍ରଓ୍ବାଲ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଅଗ୍ରଓ୍ବାଲଙ୍କ ଭାଇ ମଧ୍ୟ ଜଣେ ଶିଶୁରୋଗ ବିଶେଷଜ୍ଞ ରୂପେ ପରିଚିତ। ସେ ମଧ୍ୟ ତାଙ୍କର ପ୍ରଥମ ସନ୍ତାନକୁ ରାୟପୁରର ଏକ ସରକାରୀ ଡାକ୍ତରଖାନାରେ ପ୍ରସବ କରାଇଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ପ୍ରକାଶ ପାଇଲା ପରେ ଚର୍ଚ୍ଚାର ବିଷୟ ହୋଇଛି।