ଉଜୁଡ଼ିଯିବ ରବିଧାନ ଫସଲ

ସମ୍ବଲପୁର,୧୧ା୪(ବ୍ୟୁରୋ) କରୋନା ଭୂତାଣୁର ମୁକାବିଲା ପାଇଁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ କରି କଟକଣା ଜାରି କରିଛନ୍ତି। ରାଜ୍ୟ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଏହାର ଅବଧି ବଢାଇ ଦେଇଛନ୍ତି। ଏହାର ପ୍ରଭାବ ଚାଷ କ୍ଷେତ୍ରରେ ପଡିଛି। ସାମାଜିକ ଦୂରତା ପାଳନ କରିବା ଓ କରୋନା ଭୟରେ ଆବଶ୍ୟକ ଅନୁସାରେ ଶ୍ରମିକ ମିଳୁ ନାହାନ୍ତି । ଫଳରେ ରବି ଫସଲ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି । ଚାଷୀଙ୍କ କହିବା ଅନୁସାରେ, ଏବେ ଧାନ ଫସଲ ଗର୍ଭିଣୀ ଅବସ୍ଥାରେ ରହିଛି। ଅନେକ ସ୍ଥାନରେ ଧାନ ଥୋଡ ଧରିଛି। ଧାନ ପାଚିଲା ପର୍ଯ୍ୟାୟରେ ପହଞ୍ଚିଗଲାଣି। ଏ ସମୟରେ ରୋଗପୋକ ଲକ୍ଷଣ ବଢି ଚାଲିଛି । ରୋଗ ପୋକ ନିୟନ୍ତ୍ରଣ ପାଇଁ ଶ୍ରମିକ ମିଳୁ ନାହାନ୍ତି । ଏକର ଏକର ଜମିରେ ନିଜେ କୀଟନାଶକ ଓ ସାର ଦେବା ସମ୍ଭବପର ନୁହେଁ। ଏ ସମୟରେ ଯଦି ଫସଲର ଯତ୍ନ ଠିକ୍‌ ଭାବେ ନିଆ ନ ଯାଏ ତାହା ହେଲେ ସବୁ ନଷ୍ଟ ହୋଇଯିବ। ଚାଷୀ କରିଥିବା ଖର୍ଚ୍ଚ ଓ ପରିଶ୍ରମର ଫଳ ପାଇବ ନାହିଁ । ଋଣ ପରିଶୋଧ ମଧ୍ୟ କରିପାରିବ ନାହିଁ । ଗ୍ରାମ ଗୁଡିକରେ ଲୋକମାନେ ଅଧିକ ଭୟଭୀତ ହୋଇ ରହୁଛନ୍ତି। କାମ କରିବାକୁ ଗଲେ ସଂକ୍ରମଣ ଭୟ ରହୁଛି। ତେଣୁ ସେମାନେ କାମ କରିବା ପାଇଁ ରାଜି ହେଉନାହାନ୍ତି । ପାଖ ଗ୍ରାମର ମଧ୍ୟ ଶ୍ରମିକମାନେ ଆସୁ ନାହାନ୍ତି । ପ୍ରାୟ ଗ୍ରାମର ମୁଖ୍ୟ ରାସ୍ତା ଗୁଡିକ ସିଲ୍‌ କରି ଦିଆଯାଇଛି । ତେଣୁ ଶ୍ରମିକମାନଙ୍କ ପାଖକୁ ଯାଇ ହେଉନାହିଁ କି ସେମାନେ ଆସି କାମ କରିପାରୁ ନାହାନ୍ତି। ଏପ୍ରିଲ ମାସ ଶେଷ ସୁଦ୍ଧା ଧାନ କାଟିବାକୁ ହୋଇଯିବ । ସେ ସମୟରେ ଅଧିକ ଶ୍ରମିକର ଆବଶ୍ୟକତା ରହିଥାଏ। ତେଣୁ ଆହୁରି ସମସ୍ୟା ହୋଇଯିବ। ବର୍ଷା, ଝଡ ତୋଫାନ ଧାନ ନଷ୍ଟ କରିଦେବ। କରୋନା ପାଇଁ ଚଳିତ ରବିରେ ଧାନ ଫସଲ ଉତ୍ପାଦନ ଓ ଧାନ ସଂଗ୍ରହରେ ସଙ୍କଟ ଦେଖାଦେବ ବୋଲି ଚାଷୀମାନେ କହିଛନ୍ତି । ଏହା ସହ ସବୁଠାରୁ ଆଉ ଏକ ବଡ ସମସ୍ୟା ହେଉଛି ସାର ଓ କୀଟନାଶକ ବଜାରରେ ଆବଶ୍ୟକ ଅନୁସାରେ ବିକ୍ରି ନ ହେବା । ଚାଷୀଙ୍କ ବାରମ୍ବାର ଦାବି ଅନୁସାରେ ଜିଲା ପ୍ରଶାସନ କୃଷି ବିଭାଗ ସହ ଆଲୋଚନା କରି ଦିନକୁ ଅଢେଇ ଘଣ୍ଟା ସାର ଓ କୀଟନାଶକ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିଲା। ହେଲେ ଚାଷୀଙ୍କ ଆବଶ୍ୟକ ଅନୁସାରେ ଡିଲର ଓ ରିଟେଲରମାନଙ୍କ ପାଖରେ ଔଷଧ, ସାର ମିଳୁନାହିଁ । ଲକଡାଉନ ଯୋଗୁ ବାହାରୁ ମାଲ ପରିବହନ ହୋଇ ପାରୁନାହିଁ ବୋଲି ସେମାନେ ବାହାନା କରୁଛନ୍ତି। ମୋଟା ମୋଟି ଦେଖିବାକୁ ଗଲେ କରୋନା ଚାଷ ଓ ଚାଷୀ ଉପରେ ମଧ୍ୟ ପ୍ରଭାବ ପକାଇଛି ।