ଉଜୁଡ଼ିଗଲା ସହର ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ହକି ବିଶ୍ୱକପ୍‌ ସମୟରେ ଭୁବନେଶ୍ୱରରେ ସୌନ୍ଦର୍ଯ୍ୟକରଣ ପାଇଁ ନାନା କିସମର ବୃକ୍ଷଲତା ଲଗାଯାଇଥିଲା। କରୋନା ମାଡ଼ରେ ଏବେ ସେସବୁ କେଉଁଠି ପାଣି ନପାଇ ଶୁଖି ଗଲାଣି ତ ଆଉ କେଉଁଠି ଭଙ୍ଗାକୁଣ୍ଡରେ ନିଜ ମରଣ ଦିନକୁ ଅପେକ୍ଷା କରିରହିଛି। ଏଥିପ୍ରତି କାହାର ନିଘା ନାହିଁ। ପ୍ରଥମେ ପ୍ରଳୟଙ୍କାରୀ ବାତ୍ୟା ଫନି ଓ ଏବେ ମହାମାରୀ କରୋନାର ମୁକାବିଲା କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ସତ କିନ୍ତୁ ସହର ସୌନ୍ଦର୍ଯ୍ୟକରଣ କଥା ସମ୍ପୂର୍ଣ୍ଣ ଭୂଲିଯାଇଥିବା ନଜରକୁ ଆସୁଛି।
ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ସହରରେ ଉକ୍ତ ମଲା ଗଛ କୁଣ୍ଡଗୁଡ଼ିକୁ ବାହାର କରାଯାଇ ସେଠାରେ ଅଳଙ୍କାରୀ ବୃକ୍ଷ ଲଗାଯିବାକୁ ଯୋଜନା ହୋଇଛି। ଫନି ପରେ ପରେ ହିଁ ଉକ୍ତ ବୃକ୍ଷଗୁଡ଼ିକ କିଛି ମାତ୍ରାରେ ଶୁଖି ମରିଯାଇଥିଲା। ଯାହାର ନିରାକରଣ ପାଇଁ ଆଲୋଚନା ହୋଇଛି ଓ ସ୍ବତନ୍ତ୍ର ବଜେଟ୍‌ ବି କରାଯାଇଛି। କରୋନା ମହାମାରୀର ମୁକାବିଲା କରିବା ପରେ ସହର ସୌନ୍ଦର୍ଯ୍ୟକରଣ ପ୍ରତି ଧ୍ୟାନ ଦିଆଯିବ। ଉଲ୍ଲେଖଯୋଗ୍ୟ, ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହେବା ପରେ ବିଏମ୍‌ସି ସଂକ୍ରମଣକୁ ଏଡ଼ାଇବା ପାଇଁ ଅଣ୍ଟା ଭିଡ଼ିଛି। ପ୍ରବଳ ଗ୍ରୀଷ୍ମତାପ କାରଣରୁ ଜନପଥ, ସଚ୍ଚିବାଳୟ ମାର୍ଗ ଓ ବିଦ୍ୟୁତ୍‌ ମାର୍ଗର ଦୁଇ ପାର୍ଶ୍ୱ ଓ ମଝିରେ ଥିବା ଥିବା ସୌନ୍ଦର୍ଯ୍ୟକରଣ ବୃକ୍ଷଗୁଡ଼ିକ ଅଧିକାଂଶ ଶୁଖି ମରିଯାଇଛି। ତେଣୁ ଏଗୁଡ଼ିକରେ ଟିକେ ପାଣି ଦେବାକୁ ଭୁବନେଶ୍ୱରର କିଛି ବୁଦ୍ଧିଜୀବୀ ବିଏମ୍‌ସିକୁ ଦାବି ଜଣାଇଛନ୍ତି।