ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ୬୬୨ ବର୍ଗ କଲେଜ ସଂଘର ଆଲୋଚନା: ୭ମ ବେତନ କମିଶନ ଦରମା ଦାବି

ଭୁବନେଶ୍ୱର,୨୦-୯(ବ୍ୟୁରୋ):ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭକରି ବିଭିନ୍ନ ସରକାରୀ ଉଦ୍ୟୋଗ, ପୌରସଂସ୍ଥାର କର୍ମଚାରୀମାନେ ସପ୍ତମ ବେତନ କମିଶନଙ୍କ ସୁପାରିସ ହାରରେ ଦରମା ପାଉଛନ୍ତି। ମାତ୍ର ବ୍ଲକଗ୍ରାଣ୍ଟ ପାଉଥିବା ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଏଥିରୁ ବଞ୍ଚିତ କରାଯାଇଛି। ତୁରନ୍ତ ସପ୍ତମ ବେତନ କମିଶନ ହାରରେ ସେମାନଙ୍କୁ ଦରମା ଦେବାକୁ ୬୬୨ ବର୍ଗ କଲେଜ ସଂଘର କର୍ମକର୍ତ୍ତାମାନେ ଦାବି କରିଛନ୍ତି। କୃଷକ ଭବନଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ସଂଘ ପକ୍ଷରୁ ୮ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏହି ବର୍ଗର ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଜାତୀୟ ସ୍ତରର ପୂର୍ଣ୍ଣ ଅନୁଦାନ ଦେବା ସହିତ ସପ୍ତମ ବେତନ କମିଶନ ସୁପାରିସ ଆଧାରରେ ଦରମା ଦେବା, ୨୦୧୭ ଅନୁଦାନ ନୀତିରେ ଅସଙ୍ଗତି ଦୂର କରିବା, ଆଉ ଗୋଟିଏ ଇନ୍‌କ୍ରିମେଣ୍ଟ ବୃଦ୍ଧି କରିବା, ରିସାଇନ ଆଦେଶକୁ ଉଚ୍ଛେଦ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ବୈଠକରେ ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର, ନିର୍ଦ୍ଦେଶକ ଅଶ୍ୱିନୀ ମିଶ୍ର, ଉପ ସଚିବ ପ୍ରଶାନ୍ତ ରଥ, ଉପନିର୍ଦ୍ଦେଶକ ତୁଷାରକାନ୍ତି ତ୍ରିପାଠୀଙ୍କ ସମେତ ସଂଘ ପକ୍ଷରୁ ସଭାପତି ଗୋଲକ ନାୟକ, ଦୁଇ ସମ୍ପାଦକ ସତ୍ତାପଉଦ୍ଦିନ ଅହମ୍ମଦ, ଗଗନ ବେଉରାଙ୍କ ସହ ଅଶୋକ ପୁରୋହିତ, ଜ୍ୟୋତ୍ସ୍ନାରାଣୀ ବସ୍ତିଆ, ତପନ ଜେନା, ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସଂଘର ଦାବିଗୁଡିକୁ ଆସନ୍ତା ଦୁଇ ମାସ ମଧ୍ୟରେ ତର୍ଜମା କରାଯାଇ ପୂରଣ କରିବାକୁ ପଦକ୍ଷେପ ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।