ଉଚ୍ଚଶିକ୍ଷା ବିଭାଗରେ ୫-ଟି କଡ଼ାକଡ଼ି

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ଉଚ୍ଚଶିକ୍ଷା ବିଭାଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି କାର୍ଯ୍ୟକ୍ରମକୁ କଡ଼ାକଡ଼ି ଲାଗୁ କରାଯିବ। ଅଧ୍ୟାପକ ଏବଂ ଛାତ୍ରୀଛାତ୍ରଙ୍କ ଉପସ୍ଥାନକୁ ଗୁରୁତ୍ୱ ଦିଆଯିବ। ଅଧ୍ୟାପକ ଉପସ୍ଥାନ ରେକର୍ଡ ପାଇଁ ବାୟୋମେଟ୍ରିକ୍‌ ପଦ୍ଧତି ବ୍ୟବହାର କରାଯିବ। ସେହିପରି କାର୍ଯ୍ୟଦିବସରେ ଶିକ୍ଷାନୁଷ୍ଠାନରେ ୭ ଘଣ୍ଟା ସମୟ ଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସମସ୍ତ କଲେଜର ଉନ୍ନତୀକରଣ ପାଇଁ ପୁରାତନ ଛାତ୍ରୀଛାତ୍ରଙ୍କ ସହଯୋଗରେ ‘ମୋ କଲେଜ’ କ୍ୟାମ୍ପେନ୍‌ କରାଯିବ। ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍‌ଟପ୍‌ ବଣ୍ଟନ, ମେଧାବୃତ୍ତି ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ। ସର୍ବୋପରି ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ଯଥେଷ୍ଟ ଗୁରୁତ୍ୱ ଦିଆଯିବ। ନିକଟରେ ବିଭିନ୍ନ ସଂସ୍କାର ନେଇ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି। ଠିକ୍‌ ସମୟରେ ପରୀକ୍ଷା ଏବଂ ଫଳାଫଳ ପ୍ରକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ମେଧାବୃତ୍ତି ପ୍ରଦାନରେ ସ୍ବଚ୍ଛତା ଏବଂ ପୂର୍ବାପେକ୍ଷା ଅଧିକ ସୁବ୍ୟବସ୍ଥିତ କରିବା ପାଇଁ ସ୍ବତନ୍ତ୍ର ପରିଷଦ ଗଠନର ମଧ୍ୟ ପ୍ରସ୍ତାବ ରହିଛି। ଏହିପରି ଭାବେ ବିଭାଗ ପକ୍ଷରୁ ୧୭ ସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଖୁବ୍‌ଶୀଘ୍ର ଆନୁଷ୍ଠାନିକ ଭାବେ ଉଚ୍ଚଶିକ୍ଷା ବିଭାଗ ମୋ ସରକାର କାର୍ଯ୍ୟକ୍ରମ ଅଧୀନସ୍ଥ ହେବ ବୋଲି ଜଣାପଡ଼ିଛି।