Categories: ବାଣିଜ୍ୟ

ଇସ୍ପାତ ପ୍ରଡକ୍ଟ ପରିବହନରେ ଟାରିଫ ହ୍ରାସ ହେଉ:ଆଇସିିସି

ଭୁବନେଶ୍ୱର,୩-୧୧: ଦେଶରେ ଗଛିତ ଥିବା ମୋଟ ଖଣିଜ ମଧ୍ୟରୁ ଅତି ସ୍ବଳ୍ପ ଭାଗ ଏବେ ଉତ୍ତୋଳନ ହେଉଛି। ଏହି ପ୍ରକ୍ରିୟା ତ୍ୱରାନ୍ବିତ ହେବାର ଆବଶ୍ୟକତା ରହିଛି। ନିମ୍ନ ମାନର ଖଣିଜ ପଦାର୍ଥରେ ମୂଲ୍ୟ ସଂଯୋଗ କରିବା ଉପରେ ମଧ୍ୟ ଖଣିଜ ଶିଳ୍ପଗୁଡିକ ଅଧିକ ଗୁରୁତ୍ୱ ପ୍ରଦାନ କରିବା ଉଚିତ ବୋଲି ଆଇସିିସି ଓଡିଶା ରାଜ୍ୟ ପରିଷଦର ଖଣି କମିଟି ସଂଯୋଜକ ମନିଷ ଖର୍ବାଣ୍ଡା କହିଛନ୍ତି। ସେ କହିଛନ୍ତି ଯେ, ଦେଶରେ ୧୫୦ ନିୟୁତ ଟନ୍‌ ନିମ୍ନ ମାନର ଖଣିଜ ଉତ୍ପାଦନ ହେଉଛି। ଏଥି ମଧ୍ୟରୁ ୮୦ ନିୟୁତ ଟନ୍‌ ଓଡିଶାରେ ଉତ୍ପାଦନ ହେଉଛି। ଏହି ସବୁ ଖଣିଜ ପଦାର୍ଥରେ ମୂଲ୍ୟ ଯୋଗ କରାଯାଇ ପାରିବ। ଏହା ହେଲେ କିଛି ବର୍ଷ ମଧ୍ୟରେ ଦେଶରୁ ଲୁହାପଥର ଅଭାବକୁ ଦୂର କରାଯାଇ ପାରିବ। ଏଭଳି ସ୍ଥିତିରେ ହେମାଟାଇଟ ଏବଂ ମ୍ୟାଗ୍ନେଟାଇଟ ବେନିଫିକେଶନ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ଏବେ ରାଜ୍ୟରେ ଖଣିଜ ପଦାର୍ଥ ପରିବହନ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଖଣିଜ ପଦାର୍ଥ ପରିବହନ ଲାଗି ୨୪ରୁ ୨୫% ଖର୍ଚ୍ଚ କରିବାକୁ ପଡୁଛି। ଇସ୍ପାତ ଏବଂ ସେ ସମ୍ପର୍କିତ ଉତ୍ପାଦ ପରିବହନ ଉପରୁ ଟାରିଫ ହ୍ରାସ କରିବା ଲାଗି ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ବନ୍ଦରଗୁଡିକରେ ଭିଡ ଲାଗି ରହୁଥିବାରୁ ୫ରୁ ୧୦ କିମି ମଧ୍ୟରେ କଣ୍ଟେନର ଡିପୋ ସ୍ଥାପନ, ସ୍ଲରି ପାଇପଲାଇନ ବିଛାଇବା, ଖଣି କାର୍ଯ୍ୟରେ ଡ୍ରୋନ ଏବଂ ଟେଲିମେଟ୍ରି ବ୍ୟବହାର ଉପରେ ଯୋର ଦିଆଯାଇଛି।

Share