ଇସ୍ପାତ କ୍ଷେତ୍ରରୁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୫୦୦କୋଟି

ଭୁବନେଶ୍ୱର, ୨।୪(ବ୍ୟୁରୋ): ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ତୈଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏକକାଳୀନ ସର୍ବାଧିକ ଟଙ୍କା ଦାନ କରିଥିଲେ। ସେହିପରି ଇସ୍ପାତ କ୍ଷେତ୍ର ପିଏସ୍‌ୟୁ ଏବଂ ବେସରକାରୀ କ୍ଷେତ୍ର ମିଳିତଭାବେ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ୫୦୦ କୋଟି ଦାନ କରିଛନ୍ତି। ଏଥିସହ ଏହାର କର୍ମଚାରୀମାନେ ନିଜ ଦରମାରୁ ଅତିରିକ୍ତ ୧୫ କୋଟି ଟଙ୍କା ଫଣ୍ଡକୁ ପ୍ରଦାନ କରିଛନ୍ତି ବୋଲି ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଧର୍ମେନ୍ଦ୍ର ଟୁଇଟ୍‌ କରି କହିଛନ୍ତି ଯେ, ଇସ୍ପାତ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସହଯୋଗ ପ୍ରଶଂସନୀୟ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ଅଧୀନରେ ଥିବା ପିଏସ୍‌ୟୁ ପକ୍ଷରୁ ଗତ ସୋମବାର ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ୧୦୩୧.୨୯ କୋଟି ଟଙ୍କା ଦାନ କରାଯାଇଥିବା ବେଳେ ପିଏସ୍‌ୟୁର କର୍ମଚାରୀମାନେ ସେମାନଙ୍କ ଦରମାରୁ ଅତିରିକ୍ତ ୬୧ କୋଟି ଟଙ୍କା ଦାନ କରିଥିଲେ। ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ମୋଟ ୧୦୯୨.୨୯ ସର୍ବାଧିକ ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ପ୍ରଦାନ କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।