ଇସ୍ତଫାପତ୍ର ଫେରାଇବାକୁ ଅଧ୍ୟକ୍ଷଙ୍କ ଦରଖାସ୍ତ ଧମକକୁ ଡରି ଦେଇଥିଲି ଇସ୍ତଫା: ସୂର୍ଯ୍ୟନାରାୟଣ

ପୁରୁଷୋତ୍ତମପୁର, ୨୬ା୧୧ (ଡି.ଏନ.ଏ.)-ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ବ୍ୟକ୍ତିଗତ କାରଣ ଦର୍ଶାଇ ଅକ୍ଟୋବର ୨୫ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ବିଡିଓଙ୍କ ସମେତ ଗଞ୍ଜାମ ଜିଲାପାଳ, ଛତ୍ରପୁର ଉପଜିଲାପାଳଙ୍କୁ ପ୍ରଦାନ କରିଥିଲେ। ତେବେ ମାସକ ପରେ ଅର୍ଥାତ ସୋମବାର ସୂର୍ଯନାରାୟଣ ବିଡିଓ ସୀମାଞ୍ଚଳ ମହାନ୍ତିଙ୍କୁ ଭେଟି ଇସ୍ତଫା ପତ୍ରକୁ ଫେରାଇ ଆଣିବା ପାଇଁ ଦରଖାସ୍ତ କରିଥିଲେ। ବିଡିଓ ଏହାକୁ ଗ୍ରହଣ କରିଛନ୍ତି। ପୂର୍ବଭଳି ସୂର୍ଯ୍ୟନାରାୟଣ ଅଧ୍ୟକ୍ଷ ଭାବେ ସମସ୍ତ ଫାଇଲପତ୍ରରେ ଦସ୍ତଖତ କରିଛନ୍ତି। ଅଧ୍ୟକ୍ଷଙ୍କୁ ନେଇ ଗତ ମାସେ ହେଲା ବ୍ଲକ ବିଜେଡିରେ ଲାଗି ରହିଥିବା ଗୋଟିଏ ପରେ ଗୋଟିଏ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସୂର୍ଯ୍ୟ ନାରାୟଣ ବ୍ଲକ ଅଧ୍ୟକ୍ଷ ହୋଇଥିଲେ। ଗତ ମାସରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ପଦବୀରୁ ଇସ୍ତଫା ଦେଇଥିଲେ। ହେଲେ ଇସ୍ତଫାପତ୍ର ଫେରାଇ ଆଣିବା ପାଇଁ ଦେଇଥିବା ଦରଖାସ୍ତରେ ବାଧ୍ୟବାଧକତାରେ ଇସ୍ତଫାପତ୍ର ପ୍ରଦାନ କରିଥିଲି ବୋଲି ସେ ଦର୍ଶାଇଛନ୍ତି। କେତେଜଣ ଖଳ ପ୍ରକୃତିିର ଲୋକ ତାଙ୍କୁ ଭୟଭୀତ ଓ ବ୍ଲାକମେଲିଂ କରିବାରୁ ଇସ୍ତଫା ପତ୍ରକୁ ଦେଇଥିଲେ ବୋଲି ବିଡିଓଙ୍କୁ ଜଣାଇଛନ୍ତି। ଏ ନେଇ ଅଧ୍ୟକ୍ଷ ପଣ୍ଡାଙ୍କୁ ପଚାରିବାରେ ତାଙ୍କୁ ଅପହରଣ କରି ନିଆଯାଇଥିଲା ଓ ଯେଉଁ କାଗଜ ଦିିଆଯିିବ ସେଥିରେ ଦସ୍ତଖତ କରିବାକୁ କୁହାଯାଇଥିଲା ବୋଲି କହିଛନ୍ତି। ଗତ ୨୦ ତାରିଖରେ ପୁଅ ସୋସିଆଲ ମିଡ଼ିଆରେ ଯେଉଁ ସବୁ ଲିଖିତ ଅଭିଯୋଗ ପଠାଇଥିଲେ ତାହା ସତ୍ୟ। ମାତ୍ର ଅଧ୍ୟକ୍ଷ ନିଜେ ଥାନାକୁ ଯାଇ ଆଇଆଇସିଙ୍କୁ ଦେଇଥିବା ଲିଖିତ ଅଭିଯୋଗ ଓ ଗଣମାଧ୍ୟମ ଆଗରେ ଦେଇଥିବା ମନ୍ତବ୍ୟ ମିଥ୍ୟା। ଧମକ ଭୟରେ ଏପରି ଅଭିଯୋଗ କରିଥିଲେ ବୋଲି ସୂର୍ଯ୍ୟ ନାରାୟଣ କହିଛନ୍ତି। ଇସ୍ତଫାପତ୍ର ଫେରସ୍ତ ଲାଗି ଗତ ୨୨ ତାରିଖରେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସହ ମୁଖ୍ୟମନ୍ତ୍ରୀ, ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାୟିକାଙ୍କ ନିକଟକୁ ପଠାଇଥିଲେ ବୋଲି ସେ ସୂଚନା ଦେଇଛନ୍ତି। ବିଜେଡିର ମର୍ଯ୍ୟଦା ରକ୍ଷା ଲାଗି ଇସ୍ତଫାପତ୍ର ଫେରାଇ ଆଣିଛି ବୋଲି କହିଛନ୍ତି। ତେବେ କିଏ ଅପହରଣ କରିଥିଲେ, ବନ୍ଧୁକ ଦେଖାଇ ଧମକ ଦେଇଥିଲେ ବ୍ଲକ ଅଧ୍ୟକ୍ଷ କହିବାକୁ ରାଜି ହୋଇ ନ ଥିଲେ।