ଇସ୍କନ ରଥଯାତ୍ରା : ଲକ୍ଷାଧିକ ଭକ୍ତଙ୍କ ଗହଣରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ରଥ

ଭୁବନେଶ୍ୱର,୫।୭(ବ୍ୟୁରୋ): ଭୁବନେଶ୍ୱରର ପ୍ରସିଦ୍ଧ ଇସ୍କନ ମନ୍ଦିର ରଥଯାତ୍ରା ଏଥର ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ।  ପୂର୍ବ ନିର୍ଦ୍ଧାରିତ ସମୟ ଅପରାହ୍ନ ୩ଟାରୁ ରଥଟଣା ହୋଇ ସିଆର୍‌ପିଏଫ୍‌ ଛକ ଓ ୟୁନିଟ୍‌-୮ ଡିଏଭି ସ୍କୁଲ୍‌ ଦେଇ ସନ୍ଧ୍ୟା ୬ଟା ୧୫ରେ ତିନି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା। ସବୁଠାରୁ ଆକର୍ଷଣ ସାଜିଥିଲା ବିଦେଶୀ ଭକ୍ତଙ୍କ ଜଗନ୍ନାଥ ପ୍ରେମ। ଜଗନ୍ନାଥ ଭଜନ ଜଣାଣରେ ନିଜକୁ ହଜାଇଦେଇ ରଥ ଗଡିବା ସହ ଝୁମି ଝୁମି ନାଚିଥିଲେ ହଜାର ହଜାର ବିଦେଶୀ ଭକ୍ତ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥିଲେ।

ସକାଳ ୭ଟା ୩୦ରେ ଗୁରୁପୂଜା ଏବଂ ମଙ୍ଗଳ ଆଳତି ପରେ ୮ଟା ୩୦ରେ ରଥ ପ୍ରତିଷ୍ଠା ହୋଇଥିଲା। ପୂର୍ବାହ୍ନ ୧୧ଟାରେ ତିନି ଠାକୁରଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ୧୨ରେ ମଧ୍ୟାହ୍ନ ଆଳତି ପରେ ୨ଟା ୧୫ରେ ଗୋପୀନାଥ ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ଅନୁଷ୍ଠିତ ହୋଇ ରଥଟଣା ଆରମ୍ଭ ହୋଇଥିଲା। ଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚତ୍ବା ପରେ ୭ଟାରେ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା। ରଥଟଣା ସମୟରେ ଭୁବନେଶ୍ୱର-କଟକ ପୋଲିସ କମିଶନର ସତ୍ୟଜିତ ମହାନ୍ତି, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉପସ୍ଥିତ ଥିଲେ। ଏଥର ଇସ୍କନ ରଥଯାତ୍ରାରେ ପ୍ରାୟ ୨ଲକ୍ଷରୁ ଊଦ୍ଧର୍‌ବ ଭକ୍ତଙ୍କ ସମାଗମ ହୋଇଥିବା ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।